ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ବିଜେଡି କହିଲା, ନିରୁତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ଉଦ୍ୟମ ।

201

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି । ଏହି ଯୋଜାନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଛି । ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାକି ଥିବା ୧୬ଟି ଜିଲ୍ଲାକୁ ମଧ୍ୟ ଆବାସ ପ୍ଲସ ଆପରେ ସଂଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ ।

କିଛି ଦିନର ନୀରବତା ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜେପି ସାମ୍ବାଦିକ ସମ୍ମଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ।

ଘରକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ନେଇ ତଦନ୍ତ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍ ବିସ୍ଫୋରକ ରିପୋର୍ଟ ଦେଇଛନ୍ତି । ବିଜେପିର ଅଭିଯୋଗ..

– ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଇଥିବା ବେଳେ ନିମ୍ନମାନର କାମ କରାଯାଇଛି ।
– ଏଥିରେ ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି
– ୯ଟି ଜିଲ୍ଲାକୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇନାହିଁ
– ପ୍ରତିବାଦରେ ସାରାରାଜ୍ୟରେ ୭ରୁ ୯ ଯାଏଁ ଆନ୍ଦୋଳନ କରିବ ବିଜେପି

ବିଜେପି ଅଭିଯୋଗ କରିବା ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ପ୍ରଭାବିତ ୧୪ଟି ଜିଲ୍ଲାରେ ୮ ଲକ୍ଷ ୧୭ ହଜାର ଆବାସ ନିର୍ମାଣ ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ବାକି ୧୬ଟି ଜିଲ୍ଲାକୁ ମଧ୍ୟ ଆବାସ ପ୍ଲସ ଆପରେ ସଂଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲାଗୁଡିକରେ କେବିକେ ସମେତ ଏକାଧିକ ଆଦିବାସୀ ଅଧ୍ୟୁଷିତ ଅଂଚଳ ଥିବାରୁ ଏହାକୁ ଆବାସ ପ୍ଲସ ଆପରେ ସଂଯୋଗ କରିବାକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଏସବୁ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଯୋଗାଇ ଦିଆଯାଇଛି । ଏମାନଙ୍କୁ କେନ୍ଦ୍ରୀୟ ପୋର୍ଟାଲରେ ସାମିଲ କରିବା ପାଇଁ ଏକ ମାସର ସୁଯୋଗ ଦେବାକୁ ରାଜ୍ୟ ଦାବି କରିଛି ।
ଏଥିସହ ବିଜେପି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ କରିଛି ବିଜେପି । ଏପରିକି ଏହି ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରକୁ ରାଜ୍ୟ ବିଜେପି ପକ୍ଷରୁ ଚିଠି ଲେଖାଯାଇଥିଲା । ହେଲେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛି ବିଜେଡି ।