ନୀତି ଆୟୋଗ ରିପୋର୍ଟ, ଦେଶରେ ସର୍ବାଧିକ ୫ ଗରିବ ରାଜ୍ୟ ମଧ୍ୟରେ ୪ ଟି ବିଜେପି ଶାସିତ, କେରଳରେ ସବୁଠାରୁ କମ୍ ଗରିବ

1,436

କନକ ବ୍ୟୁରୋ : ଦେଶର ପ୍ରଥମ ବହୁମୁଖୀ ଗରିବ ସୂଚକାଙ୍କ ରିପୋର୍ଟ ଜାରି କରିଛି ନୀତି ଆୟୋଗ । ଏହି ତାଲିକା ସାମ୍ନାକୁ ଆସିବା ପରେ କ୍ଷମତା ରାଜନୀତିରେ ନିଆଁ ଲାଗିଛି । ରିପୋର୍ଟରେ ଦର୍ଶା ଯାଇଥିବା ଦେଶର ସର୍ବାଧିକ ଗରିବ ଥିବା ୫ ରାଜ୍ୟ ମଧ୍ୟରୁ ୪ ଟି ରାଜ୍ୟରେ ବିଜେପିର ସରକାର ରହିଛି । କେଉଁ କେଉଁ ରାଜ୍ୟରେ ବିଜେପିର ଏକାକୀ ବହୁମତ ସରକାର ତ କେଉଁ କେଉଁ ରାଜ୍ୟରେ ବିଜେପିର ମେଣ୍ଟ ସରକାର ରହିଛି । ବିଜେପି ଶାସିତ ସର୍ବାଧିକ ୪ ଗରିବ ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି ।

ନୀତି ଆୟୋଗର ରିପୋର୍ଟ ମୁତାବକ ବିହାର ଜନସଂଖ୍ୟାର ୫୧.୯୧ ପ୍ରତିଶତ ଲୋକ ଗରି. ଏଠାରେ ନୀତିଶ କୁମାରଙ୍କ ନେତୃତ୍ୱାଧିନ ବିଜେପି ଓ ଜେଡିୟୁର ସରକାର ରହିଛି । ୨୦୧୯ ପର୍ଯ୍ୟନ୍ତ ବିଜେପି ଶାସିତ ଝାଡଖଣ୍ଡରେ ୪୨.୧୬ ପ୍ରତିଶତ ଲୋକ ଗରିବ । ଦେଶର ସବୁଠାରୁ ବଡ ରାଜ୍ୟ କୁହାଯାଉଥିବା ଉତ୍ତର ପ୍ରଦେଶରେ ୩୭.୭୯ ପ୍ରତିଶତ ଲୋକ ଗରୀବ ସୂଚକାଙ୍କରେ ସ୍ଥାନ ପାଇଛନ୍ତି ।

୨୦୧୧ ଜନସଂଖ୍ୟା ମୁତାବକ ୟୁପିର ମୋଟ ଜନସଂଖ୍ୟା ୧୯.୯୮ କୋଟି, ତାହା ମଧ୍ୟରୁ ୩୭.୭୯ ପ୍ରତିଶତ ଅର୍ଥାତ ୭.୫୫ କୋଟି ଲୋକ ଗରିବ । ସେହିଭଳି ୨୦୧୧ ଜନସଂଖ୍ୟା ମୁତାବକ ବିହାରର ଜନସଂଖ୍ୟା ୧୦.୪ କୋଟି ଓ ଏଠାରେ ୫୨ ପ୍ରତିଶତ ଅର୍ଥାତ ୫.୪ କୋଟି ଲୋକ ଗରିବ ତାଲିକାରେ ରହିଛନ୍ତି ।

ସେହିଭଳି ନୀତି ଆୟୋଗ ରିପୋର୍ଟ ମୁତାବକ ୩୬.୬୫ ପ୍ରତିଶତ ସହ ମଧ୍ୟ ପ୍ରଦେଶ ଦେଶର ଚତୁର୍ଥ ସ୍ଥାନରେ ରହିଛି  ଓ ୩୨.୬୭ ପ୍ରତିଶତ ଗରିବ ସହ ମେଘାଳୟ ୫ମ ସ୍ଥାନରେ ରହିଛି । ମଧ୍ୟ ପ୍ରଦେଶରେ ୨୦୦୩ ରୁ ଲଗାତର ଭାବେ (ଡିସେମ୍ବୀ ୨୦୧୮ ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଛାଡି) ଏପର୍ଯ୍ୟନ୍ତ ବିଜେପିର ସରକାର ରହିଛି ଓ ଏଠାରେ ଶିବରାଜସିଂ ଚୌହାନ ୨୦୦୫ ରୁ ମୁଖ୍ୟମନ୍ତ୍ରୀ ଆସନରେ ରହିଛନ୍ତି । ଏହାସହ ମେଘାଳୟରେ ବିଜେପି ମେଣ୍ଟରେ ସରକାର ଗଠନ କରିଛି ।

ନୀତି ଆୟୋଗର ଏହି ସୂଚକାଙ୍କରେ ସବୁଠାରୁ କମ ଗରିବ ଥିବା ରାଜ୍ୟ ଭାବେ ବାମପନ୍ଥୀ ଶାସିତ କେରଳ ରହିଛି । କେରଳରେ ମାତ୍ର ୦.୭୧ ପ୍ରତିଶତ ଲୋକ ଗରିବ । ବିଜେପି ଶାସିତ ଗୋଆରେ ୩.୭୬ ପ୍ରତିଶତ, ସିକ୍କିମରେ ୩.୮୨ ପ୍ରତିଶତ, ତାମିଲନାଡୁରେ ୪.୮୯ ପ୍ରତିଶତ ଓ ପଞ୍ଜାବରେ ୫.୫୯ ପ୍ରତିଶତ ଲୋକ ଗରିବ ।