କନକ ନ୍ୟୁଜ୍ କନକ୍ଲେଭରେ ବାବା ରାମଦେବଙ୍କ ବଡ଼ ସୂଚନା : କହିଲେ,ସରକାର ଚାହିଁଲେ କୋରାପୁଟ କଫି ଓ କନ୍ଧମାଳ ହଳଦୀର ପ୍ରଚାର ପାଇଁ ବନିବେ ବ୍ରାଣ୍ଡ ଆମ୍ବାସଡର

ବିନା ସ୍ୱାର୍ଥରେ ଓଡ଼ିଶା ପାଇଁ କାମ କରିବାକୁ ପ୍ରସ୍ତୁତ

217

କନକ ବ୍ୟୁରୋ : ଆଧୁନିକ ଓଡ଼ିଶାର ନିର୍ମାଣ ନେଇ ମାନସ ମନ୍ଥନ । ଅବସର, କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୨୧ । ଭର୍ଚୁଆଲ ମାଧ୍ୟମରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଯୋଗଗୁରୁ ବାବା ରାମଦେବ । ଓଡ଼ିଆରେ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇ ନିଜର ଆଭିମୁଖ୍ୟ ରଖିଥିଲେ ବାବା ରାମଦେବ । ବାବା କହିଛନ୍ତି, ଆତ୍ମନିର୍ଭରଶୀଳ ହେବା ପାଇଁ ଶାରୀରିକ ସୁସ୍ଥତା ଜରୁରୀ । ଏବଂ ଶାରିରୀକ ସୁସ୍ଥତା ପାଇଁ ଯୋଗ ଜରୁରୀ ।

ଯୋଗ ଓ ଆୟୁର୍ବେଦକୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେଇଥିବା ବାବା ରାମଦେବ କହିଛନ୍ତି ପ୍ରଚାର ହିଁ ବିସ୍ତାରର ମାଧ୍ୟମ । ଏହି ଅବସରରେ ତାଙ୍କୁ କନ୍ଧମାଳର ହଳଦୀ ଓ କୋରାପୁଟ କଫିର ପ୍ରଚାର କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଉତରରେ ବାବା କହିଛନ୍ତି ଓଡ଼ିଶା ପାଇଁ ବିନା ସ୍ୱାର୍ଥରେ ସେ କାମ କରିବାକୁ ରାଜି । ସରକାର ଚାହିଁଲେ ପ୍ରକୃତିକ ଉତ୍ପାଦର ପ୍ରଚାର ପାଇଁ ସେ ବ୍ରାଣ୍ଡ ଆମ୍ବାସଡରୀ ବନିବାରେ ଅସୁବିଧା ନାହିଁ । ରାଜ୍ୟ ଓ ଦେଶର ସ୍ୱାର୍ଥ ତାଙ୍କ ପାଇଁ ପ୍ରାଥମିକତା ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ । ଯାହାର ଯେତେ ପ୍ରଚାର ହେବ ତାହାର ସେତେ ବିସ୍ତାର ହେବ। ତେଣୁ ନିଜର ସାମଗ୍ରୀକୁ ବିଭିନ୍ନ ପ୍ଲାଟଫର୍ମରେ ପ୍ରଚାର ପ୍ରସାର କରିବା ଆବଶ୍ୟକ । ଏବେ ପୂରା ଦେଶକୁ ଓଡ଼ିଶା ଚଳାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁ କ୍ଷେତ୍ରରେ ଓଡ଼ିଶାର ଲୋକ ଉଚ୍ଚ ପଦବୀରେ ରହିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ , ଆତ୍ମନିର୍ଭର ଦ୍ୱାରା ରାଷ୍ଟ୍ରନିର୍ମାଣ ହୋଇପାରିବ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶାରୀରିକ ସୁସ୍ଥତା ପାଇଁ ଯୋଗ ନିହାତି ଜରୁରୀ । ଯୋଗ ଦ୍ୱାରା ଆତ୍ମନିର୍ମାଣ ହେବ, ଏହାଦ୍ୱାରା ରାଷ୍ଟ୍ର ନିର୍ମାଣ ମଧ୍ୟ ହେବ । ଲୋକେ କହୁଥିଲେ ଗୁରୁକୁଳରେ ପଢିଛି ମୋ ଦ୍ୱାରା କିଛି ହେବନି । କିନ୍ତୁ ନିଜ ମାତୃଭାଷା ବଳରେ ଲୋକେ ସଫଳତାର ଶୀର୍ଷରେ ପହଞ୍ଚିପାରିବ । ଏଥିପାଇଁ ପ୍ରଚଣ୍ଡ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ । ଆଉ ଏଥିପାଇଁ ନିଜ ସ୍ୱପ୍ନ ପଥରେ ନିରନ୍ତର ଚାଲିବାକୁ ପଡିବ । ମୁଁ ସରକାରୀ ସ୍କୁଲରେ ପଢିଛି । ମୋ ପାଖରେ ପିନ୍ଧିବାକୁ ପୂର୍ବରୁ ଗରମ କପଡା ମଧ୍ୟ ନଥିଲା । କିନ୍ତୁ ଏବେ ଗରମ କପଡା ପିନ୍ଧିବାର ବି ଆବଶ୍ୟକତା ବି ନାହିଁ । ସେହିପରି ପୂର୍ବରୁ ଟଙ୍କା ନଥିଲା,ଏବେ ଟଙ୍କାର ଆବଶ୍ୟକତା ନାହିଁ । ଯାହା ବି ସମ୍ପତ୍ତି ଅଛି ସବୁ ଦେଶବାସୀଙ୍କ ପାଇଁ ।

କରୋନାକୁ ନେଇ ବାବା କହିଥିଲେ, ମୋତେ କରୋନା ତ ଦୂରର କଥା କୌଣସି ଥଣ୍ଡା, ଜ୍ୱର ମଧ୍ୟ ହେଉନାହିଁ । ଆଉ ଏହାର କାରଣ ହେଲା ‘ଯୋଗ’ । ୪୫ ବର୍ଷରୁ ଅଧିକ ଦିନ ହେବ ଯୋଗ କଲିଣି, ଦିନେ ବି ରୋଗରେ ପିଡୀତ ହୋଇନି । ବିନା ବିଶ୍ରାମରେ ମୁଁ ବେଶ ଖୁସି ଅଛି । କୋଟି କୋଟି ଲୋକଙ୍କୁ କରୋନାରୁ ରକ୍ଷା କରିଛି । ଯେଉଁମାନଙ୍କୁ କରୋନା ହୋଇଥିଲା ସେମାନଙ୍କୁ ବଞ୍ଚାଇବାରେ ସାଥ୍ ଦେଇଛି । ଏମ୍ସ ନିର୍ଦ୍ଦେଶକ କହିଥିଲେ, ୯୦ ପ୍ରତିଶତ କରୋନା ରୋଗୀଙ୍କୁ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ । ମୁଁ ମଧ୍ୟ ସମାନ କଥା କହିଥିଲି, ଅଧିକାଂଶ କରୋନା ରୋଗୀ ଯୋଗ କରି ନିଜକୁ ସୁସ୍ଥ କରିପାରିବେ । ପ୍ରକୃତି ସହ ନିଜକୁ ଯୋଡିଲେ ଜୀବନରେ କୌଣସି ବିକୃତି ଆସିବନି । ଏହା ମାଧ୍ୟମରେ ଅନେକ ଲୋକଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆତ୍ମନିର୍ଭର କରିପାରିଛି । ଭାରତକୁ ଆତ୍ମନିର୍ଭର କରିବାକୁ ହେଲେ ପ୍ରଚଣ୍ଡ ପରିଶ୍ରମ କରିବାକୁ ପଡିବ ।