ସୀମା ଲଂଘୁଛି ଅଶାନ୍ତୁ ସମୁଦ୍ର: ଉଚ୍ଚ ଜୁଆର ଯୋଗୁଁ ଖୋଲୁଛି ନୂଆ ମୁହାଣ  

179

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗର କେଉଟଜଙ୍ଗା ନିକଟ କେଳୁଣୀ ମୁହାଣ ଅଚନାକ ଖୋଲି ଯାଇଛି । ସମୁଦ୍ର ଢେଉରୁ ସୁରକ୍ଷା ଦେଉଥିବା ବାଲିବନ୍ତ ଆଉ ଦେଖିବାକୁ ମିଳୁନି । ଫଳରେ ମୁହାଣରେ ସମୁଦ୍ର ତାଣ୍ଡବ ରଚୁଛି । ୫ ଫୁଟର ଉଚ୍ଚ ଜୁଆର ଆସି ସୁନାମୀ ବନ୍ଧରେ ପିଟି ହେଉଛି । ସେପଟେ କେଉଟଜଙ୍ଗାର ଝାଉଁ ଜଙ୍ଗଲେ ସମୁଦ୍ର ଢେଉ ଲହଡି ମାରୁଛି ।

ସେପଟେ କୃଷ୍ଣପ୍ରସାଦ ଅଂଚଳର ଅରଖ କୁଦା ଗାଁ ନିକଟରେ ସମୁଦ୍ର ନୂଆ ମୁହାଣ ମେଳିବାରୁ ଚିଲିକା ଓ ସମୁଦ୍ର ଏକାକାର ହୋଇଯାଇଛି । ଜୁଆର ମାଡରେ ବାଲି ବନ୍ଧ ଧୋଇ ହୋଇଯାଇଛି । ଏବେ ସମୁଦ୍ର ଜୁଆର ଚିଲିକା ଦେଇ ଅରଖକୁଦା ଗାଁରେ ପଶୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବାଲେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସମୁଦ୍ର ଉଚ୍ଚ ଜୁଆର ବନ୍ଧ ଭାଙ୍ଗି ଗାଁ ଭିତରେ ପଶିଛି । ଫଳରେ ସଦର ବ୍ଲକର କଷାଫଳ, ସାର୍ଥା, ଆଳୁମେଦା ପଂଚାୟତକ ଶହ ଶହ ହେକ୍ଟର ଚାଷ ଜମିରେ ଲୁଣି ପାଣି ମାଡି ଯାଇଛି । ସେପଟେ ବାହନଗା ବ୍ଲକ ଖରାସାହାପୁର ପଂଚାୟତର ଶହ ଶହ ଏକର ଚାଷ ଜମିରେ ଜୁଆର ଯୋଗୁଁ ଲୁଣି ପାଣି ପଶି ଆସିଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲା ଏରସମା, ଗଡହରିଶପୁର ଗାଁର ଏ ହେଉଛି ଦୃଶ୍ୟ । ସମୁଦ୍ର ଜୁଆର ଯୋଗୁଁ ନୂଆ ମୁହାଣ ଖୋଲିଯିବା ପରେ ଗାଁକୁ ମାଡି ଆସିଛି ସମୁଦ୍ର ପାଣି । ସେପଟେ ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଖରିନାସୀ ପଂଚାୟତର ସମୁଦର ନିକଟବର୍ତି ହେକ୍ଟର ହେକ୍ଟର ଚାଷ ଜମିରେ ଲୁଣି ପାଣି ମାଡି ଯାଇଛି ।