ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବା ସପକ୍ଷରେ ଆଇସିଏମଆର । ଏଯାଏଁ ନିଷ୍ପତ୍ତି କରି ନାହାନ୍ତି କେନ୍ଦ୍ର ସରକାର । ସେପଟେ ବୟସ୍କ ଓ ସ୍ୱାସ୍ଥ୍ୟ ସଂକଟ ଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ କୋଭିଡ ବୁଷ୍ଟର ଡୋଜ ଦରକାର କହିଲା ‘ହୁ’

234

କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯିବା ଉଚିତ୍ ବୋଲି କହିଛି ଆଇସିଏମଆର । ଏହାର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯାଇ ପାରିବ । ଏନେଇ ଖୁବଶୀଘ୍ର ସରକାର ନିର୍ଦ୍ଦେଶନାମା ଜାରି କରିବେ । ଆଇସିଏମଆର ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଦେଶରେ ଗର୍ଭବତୀ ଓ ପ୍ରସୂତୀମାନେ କରୋନାର ଦ୍ୱିତୀୟ ଲହରରେ ଅତି ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ।

ସେହିପରି ୨ ବର୍ଷରୁ ଅଧିକ ଶିଶୁଙ୍କୁ କରୋନା ଟିକା ଦିଆଯାଇ ପାରିବ ନା ନାହିଁ, ସେନେଇ ମଧ୍ୟ ଅଧ୍ୟୟନ ଚାଲିଥିବା ସେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ଆସିପାରେ । ଏପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ବୟସ୍କ ଓ ଅଧିକ ସ୍ୱାସ୍ଥ୍ୟ ସଂକଟ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିବର୍ଷ କରୋନାର ଏକ ବୁଷ୍ଟର ଡୋଜ୍ ଆବଶ୍ୟକ ପଡିପାରେ । ‘ହୁ’ର ଏକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି ।

ପୂର୍ବରୁ କରୋନା ଟିକା ନିର୍ମାତା ଫାଇଜର, ମଡର୍ଣ୍ଣ ଓ ବାୟୋନଟେକ୍ ମଧ୍ୟ ବୁଷ୍ଟର ଡୋଜ୍ର ଆବଶ୍ୟକତା କଥା କହିଥିଲେ । ତେବେ ବୟସ୍କ ଓ ଅସୁସ୍ଥ ଲୋକଙ୍କୁ ପ୍ରତିବର୍ଷ ଏବଂ ସାଧାରଣ ଲୋକଙ୍କୁ ପ୍ରତି ୨ ବର୍ଷରେ ଥରେ ବୁଷ୍ଟର ଡୋଜ୍ ଦିଆଯିବା ନେଇ ବିଚାରବିମର୍ଶ ଚାଲିଛି ।