ପରିବର୍ତ୍ତନ ପଥେ ଭାରତ! ଆଜିଠାରୁ ଲାଗୁ ହେବ ଏହି ୬ଟି ନୂଆ ନିୟମ . . . ଜାଣନ୍ତୁ କଣ

57

ମୋଦି ସରକାର ଆସିବା ପରେ ଦେଶରେ ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ ହେଉଛି । ପ୍ରଥମେ ବନ୍ଦ ହେଲା ନେତାଙ୍କ ନାଲିବତି ଗାଡି ବ୍ୟବହାର । ଏବେ ପ୍ରତିଦିନ ଡିଜେଲ୍ ପେଟ୍ରୋଲ୍ ଦାମରେ ହେବ ପରିବର୍ତ୍ତନ । ଏବେ ନଜର ପକାନ୍ତୁ ଆଜି ଠାରୁ ଆଉ କେଉଁ ନୂଆ ନିୟମ ଲାଗୁ ହେବ ।

ଇତିହାସ ହେବ ନାଲିବତି ଗାଡି :
କେନ୍ଦ୍ରୀୟ କ୍ୟାବିନେଟ୍ ଭିଆଇପି ମାନଙ୍କୁ ଗାଡିରେ ନାଲିବତି ବ୍ୟବହାର ନକରିବା ପାଇଁ ନିଷ୍ପତି ନେଇଥିଲେ । ଯାହା ଆଜିଠାରୁ ଲାଗୁ ହେବ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ,ଏବଂ ରାଜ୍ୟପାଳଙ୍କ ପାଇଁ ମଧ୍ୟ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

ପ୍ରତିଦିନ ବଦଳିବ ପେଟ୍ରୋଲ୍ ଏବଂ ଡିଜେଲ୍ ଦର :

ପ୍ରତିଦିନ ବଦଳିବ ପେଟ୍ରୋଲ, ଡିଜେଲ ଦର । ଆନ୍ତର୍ଜାତୀୟ ତୈଳଦର ଅନୁସାରେ ବଦଳିବ ଦର । ପ୍ରାଥମିକ ପର୍ଯ୍ୟାୟରେ ଆଜି ଠାରୁ ଏହି ଏହି ଦର ଲାଗୁ କରାଯିବ । ପ୍ରଥମେ ଦେଶର ୫ଟି ସହରରେ ଏହି ପାଇଲଟ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି । ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଭାଇଜାଗ, ରାଜସ୍ଥାନର ଉଦୟପୁର, ଝାଡଖଣ୍ଡର ଜାମସେଦପୁର ଏବଂ ଚଣ୍ଡିଗଡରୁ ଏହି ନୂଆ ନିୟମ ଆରମ୍ଭ ହୋଇଛି । ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଏହି ନିୟମ ଲାଗୁ କରାଯାଇଛି  ।

ଲାଗୁ ହେବ ନୂଆ ରିୟଲ୍ ଇଷ୍ଟେଟ୍ ଆକ୍ଟ :

ଆଜିଠାରୁ ଦେଶରେ କାର୍ଯ୍ୟକାରୀ ହୋଇଛି ରିଅଲ ଇଷ୍ଟେଟ ଆଇନ ୨୦୧୬ । ଗ୍ରାହକଙ୍କୁ ଶୋଷଣରୁ ମୁକ୍ତ କରିବା ଓ ବିଲଡରଙ୍କ ମନମାନି ଉପରେ ଲଗାମ ଲଗାଇବାକୁ ସରକାର ମାର୍ଚ୍ଚରେ ଏହି କ୍ରାନ୍ତିକାରୀ ବିଲ ପାଶ କରିଥିଲେ, ଯାହା ଆଜିଠାରୁ ଲାଗୁ ହୋଇଛି । ରିଅଲ ଇଷ୍ଟେଟ ଆଇନରେ ୯୨ଟି ଧାରା ରହିଛି । ଯେଉଁ କମ୍ପାନୀ କମ୍ପ୍ଲିସନ ସାର୍ଟିଫିକେଟ ହାସଲ କରିନାହାନ୍ତି ସେମାନଙ୍କୁ ଆସନ୍ତା ୩ ମାସ ମଧ୍ୟରେ ନୂଆ ପ୍ରକଳ୍ପକୁ ନିୟାମକ କର୍ତୃପକ୍ଷଙ୍କ ନିକଟରେ ୩ ମାସ ମଧ୍ୟରେ ପଞ୍ଜୀକରଣ କରିବାକୁ ହେବ ।

ବନ୍ଦ ହୋଇଯିବ ବ୍ୟାଙ୍କ୍ ଆକାଉଂଟ୍ :

ଯେଉଁ ଖାତାଧାରୀଙ୍କ ବ୍ୟାଙ୍କ ଖାତା ୧ ଜୁଲାଇ, ୨୦୧୪ ଠାରୁ ୩୧ ଅଗଷ୍ଟ ୨୦୧୫ ମଧ୍ୟରେ ଖୋଲା ଯାଇଛି ଏଥିସହ ଏଫଏଟିସିଏର ନିୟମ ସହ ତାର କୌଣସି ପ୍ରକାରର ସାମଞ୍ଜସ୍ୟ ନାହିଁ ତେବେ ଆପଣଙ୍କର ଏହି ଖାତା କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇ ଯାଇପାରେ । ୩୦ ଏପ୍ରିଲ ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଏବଂ ଆଧାର ନମ୍ବର ବ୍ୟାଙ୍କ କିମ୍ବା ସମ୍ବନ୍ଧିତ ବିତ୍ତିୟ ସଂସ୍ଥାମାନଙ୍କରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଯଦି କେହି ଏହି ନିୟମକୁ ପାଳନ ନକରନ୍ତି ତେବେ ସେଗୁଡିକ ବନ୍ଦ ମଧ୍ୟ କରିଦିଆଯିବ । ଏଥିସହ ଆପଣ ଆପଣଙ୍କ ଖାତାରୁ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ ନାହିଁ ।

ପିଏନବିରେ ଶସ୍ତା ହେବ ଲୋନ୍ :
ପିଏନବି (ପଞ୍ଜାବ ନାସନାଲ୍ ବ୍ୟାଙ୍କ୍) ନିଜ ଏମସିଏଲଆରରେ ୦.୧୫ ପ୍ରତିଶତ କମ୍ କରିବା ପାଇଁ କରିଛି ଘୋଷଣା । ଏହି ଘୋଷଣା ଅନୁଯାୟୀ, ଆଜି ଠାରୁ ବ୍ୟାଙ୍କରେ ନୂଆ ଲୋନ୍ ଶସ୍ତା ହେବ । ନୂଆ ଏମସିଏଲଆର ୮.୦୫ ପ୍ରତିଶତରୁ ୮.୬୫ ପ୍ରତିଶତ ମଧ୍ୟରେ ରହିବ ।

ଜିଏସଟି ପୋର୍ଟଲର ଟ୍ରାଏଲ୍ ରନ୍ :
୧ ଜୁଲାଇରୁ ହେବ ଲାଗୁ ଜିଏସଟି । ତେଣୁ ସରକାର ଏହି ଦିଗରେ ପଦକ୍ଷେପ ନେଇସାରିଛି । ଫଳରେ ଆଜି ଜିଏସଟି ପୋର୍ଟଲର ଟ୍ରାଏଲ୍ ରନ୍ ଆରମ୍ଭ ହୋଇଛି । କମ୍ପାନୀ ମାନେ ମଧ୍ୟ ଜିଏସଟି ସଫ୍ଟୱେୟର୍ ସଲ୍ୟୁସନ୍ ତିଆରି କରିବା ପାଇଁ ଲାଗି ପଡିଛନ୍ତି । ପ୍ରଥମେ ଜିଏସଟି ପୋର୍ଟଲର ବିଟା ଭର୍ସନ୍ ଲଂଚ୍ ହେବ । ବଛା ବଛା ଲୋକଙ୍କୁ ଏହି ଭର୍ସନ ବ୍ୟବହାର କରିବାକୁ ଅନୁମତି ମିଳିବ ।