କପିଲ ଶର୍ମା ସୋ’ରୁ ସିଦ୍ଧୁ ଆଉଟ୍ ! ପୁଲୱାମା ହମଲାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନବଜ୍ୟୋତି ସିଂ ସିଦ୍ଧୁ

2,688

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ କମେଡି ଧାରା ବାହିକ କପିଲ ଶର୍ମା ସୋ’ରୁ ବିଦା ହେଲେ ନବେଜ୍ୟାତି ସିଂ ସିଦ୍ଧୁ  । ତେବେ ପୁଲୱାମା ଆତଙ୍କୀ ହମଲାକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସିଦ୍ଧୁଙ୍କୁ କପିଲ ଶର୍ମାଙ୍କ ସୋ’ରୁ ବାହାର କରିଦିଆଯାଇଛି । ସୂଚନା ଅନୁସାରେ,ଦେଶର ଯବାନ ସହିଦ ହୋଇଥିବା କାରଣରୁ ସାରା ଦେଶ ଶୋକ ମନାଉଥିବାବେଳେ ପାକିସ୍ଥାନ ସପକ୍ଷରେ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଏହାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦର୍ଶକମାନେ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’କୁ ବର୍ଜନ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏପରିକି ହଜାର ହଜାର ଦର୍ଶକ ନିଜ ମାସିକ ଟିଭି ପ୍ୟାକେଜରୁ ସୋନି ଟିଭିକୁ କାଟି ଦେଇଥିଲେ । ଏହା ପରେ ଛାନିଆ ହୋଇପଡ଼ିଛି ସୋନି ଟିଭି । ସୋନି ଟିଭି ପକ୍ଷରୁ ଆଜି କପିଲ ଶର୍ମା ଶୋରୁ ସିଦ୍ଧୁଙ୍କୁ ବାହାର କରିଦିଆଯାଇଛି ।

 

ପୁଲୱାମାଠାରେ ହୋଇଥିବା ବଡ ଆତଙ୍କୀ ହମଲାକୁ ନେଇ ସାରା ଦେଶ ସ୍ତବ୍ଧ ଥିବାବେଳେ ଦଳଗତ ନିର୍ବିଶେଷରେ ସମସ୍ତେ ଉପରକୁ ଉଠି ସରକାରଙ୍କ ପଛରେ ଛିଡା ହେବାକୁ ଆହ୍ଵାନ ଦିଆଯାଉଥିବା ବେଳେ ନବଜ୍ୟୋତ ସିଂ ସିଦ୍ଧୁ ଏ ସଂପର୍କରେ ଏକ ଅତି ଦୁର୍ଭାଗ୍ୟଜନକ ବୟାନ ଦେଇଥିଲେ । ଏହି ଆତଙ୍କବାଦୀ କାଣ୍ଡ ଏକ ଦୁର୍ଭାଗ୍ୟଜନକ ଘଟଣା ।କିନ୍ତୁ ଏଥିପାଇଁ ପାକିସ୍ତାନକୁ ଦୋଷୀ ବୋଲି ମାନିବାକୁ ପ୍ରସ୍ତୁତ ନାହାନ୍ତି ସିଦ୍ଧୁ ।

ସେ କହିଥିଲେ ଯେ ଅଳ୍ପ କିଛି ଲୋକଙ୍କ ପାଇଁ ସମଗ୍ର ଏକ ଦେଶକୁ ଦୋଷୀ ବୋଲି କହିବା ଠିକ ନୁହେଁ । ସେ ଆହୁରି ମଧ୍ୟ କହିଥିଲେ ଯେ ଆତଙ୍କବାଦୀର କୌଣସି ଦେଶ ନ ଥାଏ । ଗୁଳି ବା ଯୁଦ୍ଧ ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ନାହିଁ, ଆମକୁ କଥାବାର୍ତ୍ତାର ବାଟ ଖୋଲା ରଖିବାକୁ ହେବ । ସିଦ୍ଧୁଙ୍କର ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ଆଜି ତାଙ୍କୁ କପିଲ ଶର୍ମା ସୋ’ରୁ ବାହାର କରିଦିଆଯାଇଥିବା ମିଳିଥିବା ସୂଚନାରୁ ଜଣାପଡିଛି ।