ସହିଦ୍ ପ୍ରସନ୍ନଙ୍କୁ ହରାଇ ଗୁମୁରି କାନ୍ଦୁଛି ମା’ମାଟି ! କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକ, ଲୁହରେ ଭିଜୁଛି ସାରା ଓଡ଼ିଶା

238

ଚାରିଆଡ଼େ ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଲା ଜଗତସିଂପୁର । ଓଡ଼ିଶାର ବୀରପୁତ୍ର ତଥା ଜଗତସିଂପୁର ଜିଲ୍ଲାର ପ୍ରସନ୍ନ ସାହୁଙ୍କୁ ହରାଇ ଗୁମୁରି କାନ୍ଦୁଛି ମା’ମାଟି । ପରିବାର ଲୋକଙ୍କ ବୁକୁଫଟା କ୍ରନ୍ଦନରେ ଝାଉଁଳି ପଡ଼ିଛି ପୁରା ପରିବେଶ । ଲୁହରେ ଭିଜୁଛି ସାରା ଓଡ଼ିଶା । ବର୍ତ୍ତମାନ ସମୟରେ ଓଡ଼ିଶାରେ ପହଞ୍ଚିଯାଇଛି ସହିଦ  ପ୍ରସନ୍ନ ସାହୁଙ୍କ ପାର୍ଥିବ ଶରୀର । ବୀରପୁତ୍ରଙ୍କ ମରଶରୀରରକୁ ଗାଁକୁ ନିଆଯିବ ।

ଆତଙ୍କବାଦୀଙ୍କ ବର୍ବରକାଣ୍ଡରେ ପ୍ରାଣ ହରାଇଛନ୍ତି  ଜଗତସିଂହପୁର ଜିଲ୍ଲା ନାଉଁଗା ବ୍ଲକ୍ ପାରିଶିଖର ଗାଁର ପ୍ରସନ୍ନ ସାହୁ । ବୀରପୁତ୍ରକୁ ହରାଇ ପରିବାର କାନ୍ଦୁଛି । ଆଉ ଝୁରୁଛନ୍ତି ସାଥୀ ।  ସହିଦ ପ୍ରସନ୍ନ କୁମାର ସାହୁ ୧୯୯୫ ମସିହାରେ ସିଆରପିଏଫର ଯୋଗ ଦେଇଥିଲେ ।  ୪ ବର୍ଷ ଧରି ରାୟଗଡା ମାଟିର ସେବା କରିଥିଲେ ସହିଦ ପ୍ରସନ୍ନ । ୨ ମାସ ତଳେ ବଦଳି ହୋଇଥିଲେ ଜମ୍ମୁ କଶ୍ମୀରକୁ। କର୍ମ ମାଟିର ସଂପର୍କକୁ ଛିନ୍ନ କରି ଯିବା ପାଇଁ ଇଚ୍ଛା ନ ଥିଲା । କିନ୍ତୁ ଅଫିସ୍ ଆଦେଶକୁ ଅବମାନନା କରିପାରି ନଥିଲେ। ଗଲା ବେଳେ ସାଥୀ ଯବାନଙ୍କୁ କଥା ଦେଇଥିଲେ ଛୁଟିରେ ଆସିଲେ ନିଶ୍ଚୟ ଦେଖା ହେବ । ଏପରିକି କିଛି ଯବାନଙ୍କ ସହ ନିୟମିତ ମୋବାଇଲରେ ଯୋଗାଯୋଗରେ ଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ।  ଜମ୍ମୁରୁ କଶ୍ମୀର କ୍ୟାମ୍ପକୁ ଯାଉଥିବା ବେଳେ ଆତଙ୍କି ହମଲାରେ ସହିଦ୍ ହୋଇଗଲେ ପ୍ରସନ୍ନ କୁମାର ସାହୁ ।

ସାଥୀ ଯବାନଙ୍କ କହିବାନୁଯାୟୀ, ଶାନ୍ତ ଓ ସରଳ ସ୍ୱଭାବର ଥିଲେ ପ୍ରସନ୍ନ। କର୍ତବ୍ୟରେ କେବେ ହେଳା କରୁନଥିଲେ । କ୍ୟାମ୍ପ ଭିତରେ ହେଉ କିମ୍ବା ବାହାରେ ସବୁବେଳେ ନିଜ ଦାୟିତ୍ବ ତୁଲାଇବାରେ ସେ ଥିଲେ ଆଗରେ । ଯେଉଁଥି ପାଇଁ ଉଚ୍ଚ ପଦସ୍ତ ଅଧିକାରୀଙ୍କଠୁ ଆରମ୍ଭ କରି ସାଥୀ ଯବାନଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ । ରାୟଗଡା, ଗୁଡାରି, ବିଷକକଟକ, ବିଜାପୁର ସମେତ ଜିଲ୍ଲାର ସମସ୍ତ କ୍ୟାମ୍ପରେ ହାବିଲଦାର୍ ଭାବେ କାମ କରିଛନ୍ତି ପ୍ରସନ୍ନ । ନୂତନ ଭାବେ ସିଆରପିଏଫରେ ସାମିଲ୍ ଯବାନଙ୍କ ମନୋବଳକୁ ଦୃଢ଼ କରିବା ସହ ଅପରେସନ ସମୟରେ ପ୍ରସନ୍ନ ନିଭାଉଥିଲେ ପ୍ରମୁଖ ଭୂମିକା ।

ସେପଟେ ପ୍ରସନ୍ନଙ୍କୁ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ପରିବାର ଲୋକେ । ପ୍ରସନ୍ନଙ୍କୁ ହରାଇ ଯେପରି ସବୁକିଛି ହରାଇଦେଇଛନ୍ତି ପରିବାର । ପ୍ରସନ୍ନଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି । ବାପାଙ୍କର ମୃତ୍ୟୁ ଖବରକୁ ତାଙ୍କର ପିଲାମାନେ କେହି ବିଶ୍ୱାସ ବି କରିପାରୁନାହାଁନ୍ତି । କାରଣ ଗତ ସୋମବାର ଦିନ ସେ ତାଙ୍କ ବାପାଙ୍କ ସହ ଶେଷ ଥର ପାଇଁ ଫୋନରେ କଥା ହୋଇଥିଲେ । ପ୍ରସନ୍ନ ଡ୍ୟୁଟିକୁ ଯିବା ପୂର୍ବରୁ ଫୋନ କରି ପରିବାର ଲୋକଙ୍କ ସହ କଥା ହୋଇଥିଲେ । ପିଲାଙ୍କୁ ସେମାନଙ୍କର ପାଠପଢା ବିଷୟରେ ପଚାରି ବୁଝିଥିଲେ । ବୁଢା ବାପାମାଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ମଧ୍ୟ ପତ୍ନୀଙ୍କଠାରୁ ପଚାରି ବୁଝିଥିଲେ ।

ଆଖିରେ ଆଖିଏ ଲୁହ ଆଉ କୋହଭରା କଣ୍ଠରେ ପ୍ରସନ୍ନଙ୍କ ପତ୍ନୀ କୁହନ୍ତି କି, ଦିଲ୍ଲୀରେ ଥିବା ବେଳେ  ମୋର ତାଙ୍କ ସହ ଶେଷ ଥର ପାଇଁ କଥାବାର୍ତ୍ତା ହୋଇଥିଲା । ଟ୍ରେନରେ ବସିବା ସମୟରେ ସେ ସ୍ୱାମୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ପିଲାଙ୍କର ପାଠପଢା ବିଷୟରେ ପଚାରି ବୁଝିଥିଲେ ଏବଂ ମାସେ ଦୁଇ ମାସେ ପରେ ସେ ଛୁଟିରେ ଆସିବେ ବୋଲି କହିଥିଲେ ।  ପ୍ରସନ୍ନଙ୍କ ଏକମାତ୍ର ଲକ୍ଷ୍ୟ ଥିଲା ତାଙ୍କୁ ଦୁଇ ପିଲାଙ୍କୁ ପାଠପଢାଇବେ ବୋଲି ତେଣୁ ସ୍ୱାମୀଙ୍କ ଏହି ଆଶାକୁ ପୁରଣ କରିବେ ବୋଲି ପତ୍ନୀ କହିଛନ୍ତି । ପ୍ରସନ୍ନଙ୍କର ଭାଇ କହୁନ୍ତି ମୋର ଭାଇ ଜୀବନରେ ଯାହା ବି ରୋଜଗାର କରିଥିଲା ସବୁ ଗାଁ ଲୋକ ଏବଂ ଠାକୁରାଣୀଙ୍କ ପାଇଁ ଦାନ କରିଦେଲା । ମୋର ଖାଲି ଏତିକି ଅନୁରୋଧ ମୋର ଭାଇର ହସ ଖୁସିର ସଂସାରକୁ ଯିଏ ଉଜାଡି ଦେଲା ତାକୁ ନିଶ୍ଚୟ ଦଣ୍ଡ ମିଳୁବୋଲି ପ୍ରସନ୍ନଙ୍କ ଭାଇ କହିଛନ୍ତି ।

ପ୍ରସନ୍ନଙ୍କର ଝିଅ କହିଛନ୍ତି କି, ମୁଁ ଏଭଳି ଜଣେ ବାପାଙ୍କର ଝିଅ ହୋଇଥିବାରୁ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛି । ସେ ଭାରତ ପାଇଁ ନିଜ ପ୍ରାଣ ବଳି ଦେଇ ସହିଦ ହୋଇଛନ୍ତି । ହେଲେ ତାଙ୍କର ଏହି ବଳିଦାନ ଯେଭଳି ବ୍ୟର୍ଥ ନଯାଉ ଆଉ ଇଟାର ଜବାବ ପଥରରେ ମିଳୁବୋଲି ପ୍ରସନ୍ନଙ୍କ ଝିଅ କହିଛନ୍ତି ।