ଖାଉଟିଙ୍କ ଘରଦ୍ୱାର ମୁହଁରେ ଓମଫେଡର ଉତ୍ପାଦ ପହଂଚାଇବା ପାଇଁ ଆରମ୍ଭ : ୧୦ଟି ଇ-କାର୍ଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

45

କନକ ବ୍ୟୁରୋ : ଖାଉଟିଙ୍କ ଘରଦ୍ୱାର ମୁହଁରେ ଓମଫେଡର ଉତ୍ପାଦ ପହଂଚାଇବା ପାଇଁ ଆରମ୍ଭ ହୋଇଛି ନୂଆ ଉଦ୍ୟମ । ଏଥି ପାଇଁ ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ବିଭିନ୍ନ ସ୍ଥାନରେ ଏହା ବିକ୍ରି କରାଯିବ । ସମସ୍ତ ପ୍ରକାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ନିଯୁକ୍ତି ପ୍ରାପ୍ତ ବିକ୍ରେତାମାନେ ଖାଉଟିଙ୍କ ପାଖରେ ପହଂଚାଇବେ । ଆଜି ୧୦ଟି ଇ-କାର୍ଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ଦିନରେ ଆଉ ୪୦ଟି ଓମଫେଡ ଡାୟରୀ ଏକ୍ସପ୍ରେସ ରାସ୍ତାକୁ ଓହ୍ଲାଇବ । ଭୁବନେଶ୍ୱରର ସମସ୍ତ ୬୬ଟି ୱାର୍ଡରେ ଏହି ଗାଡି ବୁଲି ବୁଲି ବିକ୍ରି କରିବ । ଏହା ପରେ ପରେ କଟକ, ପୁରୀ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ସୁବିଧା ମିଳିବ ।

ଇ-କାର୍ଟରେ ଦୁଗ୍ଧ ବୋତଲ, ରାବିଡ଼ି, ମିଠାଦହି, ପ୍ୟାକେଟ୍ ଦହି, ସାଦା ଦହି, ଘୋଳ ଦହି, ଲସି, ଛେନାପୋଡ଼, ଟେବୁଲ ବଟର, ପନିର, ପେଡ଼ା, ଖୁଆ, ଟିଣପ୍ୟାକ ରସଗୋଲା, ଗୋଲାପଜାମୁନ ଓ ବିଭିନ୍ନ ସ୍ୱାଦର ଆଇସକ୍ରିମ୍ ଉପଲବ୍ଧ ହେବ। ଓମଫେଡ୍ ଦ୍ୱାରା ନିଯୁକ୍ତି ପ୍ରାପ୍ତ ବିକ୍ରେତାମାନଙ୍କ ଦ୍ୱାରା ଖାଉଟିମାନଙ୍କୁ ସିଧାସଳଖ ବିକ୍ରିୟ କରାଯିବ। ଓମଫେଡ୍ ସହ ଅନୁବନ୍ଧିତ ୩ଲକ୍ଷ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯାଇ ସେମାନଙ୍କୁ ବିକ୍ରିୟ ସୁବିଧା ଯୋଗାଇ ଦିଆଯିବ।

ଏଥିପାଇଁ ୧କୋଟି ଟଙ୍କା ଖର୍ଚ କରାଯିବ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏହା ମଞ୍ଜୁର ହୋଇଛି। ଆଗାମୀ ଦିନରେ କଟକ, ପୁରୀ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ସୁବିଧା ଉପଲବ୍ଧ ହେବ। ତେବେ ଲୋକସଂଖ୍ୟା ଅନୁଯାୟୀ ଇ-କାର୍ଟ ପ୍ରଚଳନର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ୍ତ ମହାରଥୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମତ୍ସ୍ୟ ବିଭାଗର ସଚିବ ବିଶାଳ ଗଗନ ଓ ଓମଫେଡର ଅଧ୍ୟକ୍ଷା ସରୋଜିନୀ ମିଶ୍ର ଉପସ୍ଥିତ ଥିଲେ।