ଭାଟିକାନ ସିଟିରେ ପୋପଙ୍କୁ ଭେଟିଲେ ନବୀନ । ପ୍ରାୟ ୧୫ ମିନିଟ ଧରି ସାକ୍ଷାତ ଆଲୋଚନା । ପାରମ୍ପରିକ ପଟ୍ଟଚିତ୍ର ଦେଲେ ଉପହାର

132

କନକ ବ୍ୟୁରୋ: ଭାଟିକାନ ସିଟିରେ ଖ୍ରୀଷ୍ଟଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସର୍ବମାନ୍ୟ ଖ୍ରୀଷ୍ଟଧର୍ମଗୁରୁଙ୍କୁ ଭେଟିଛନ୍ତି ନବୀନ । ପୋପ୍ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟର ଆଲୋଚନା ହୋଇଥିବା ସୂଚନା ମିଳିଛି । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ପାରମ୍ପରିକ ପଟ୍ଟଚିତ୍ର ପୋପଙ୍କୁ ଉପହାର ଦେଇଛନ୍ତି । ଏହି ଭେଟଘାଟ ଜାତୀୟ ରାଜିନୀତିରେ ନବୀନଙ୍କ ପତିଆରା ବୃଦ୍ଧି କରିବା ସହ ରାଜନୈତିକ ଭାବମୂର୍ତ୍ତିକୁ ଆହୁରି ଉଜ୍ୱଳ କରିବ ବୋଲି ଚର୍ଚ୍ଚା ହେଉଛି ।

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିଛନ୍ତି ନବୀନ ପଟ୍ଟନାୟକ । ତେବେ ଏହି ଭେଟଘାଟ ଦ୍ୱାରା କି ବାର୍ତ୍ତା ଦେଲେ ନବୀନ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ପୋପଙ୍କୁ ନବୀନ ସାକ୍ଷାତ ସମୟର ଫଟୋରେ ପୋପଙ୍କୁ ନମସ୍କାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ପୋପ ବି ପ୍ରତି ନମସ୍କାର କରୁଛନ୍ତି । ଏହାପରେ ପୋପଙ୍କ ସହ ମୁଖ୍ୟମନ୍ତ୍ରୀ କିଛି କଥାବାର୍ତ୍ତା ହେଉଥିବାର ଫଟୋ ବି ରହିିଛି । ଭାଟିକାନ ସିଟିରେ ପୋପ୍ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟର ଆଲୋଚନା ହୋଇଥିବା ସୂଚନା ମିଳିଛି । ଖ୍ରୀଷ୍ଟଧର୍ମର ସର୍ବମାନ୍ୟ ଗୁରୁ ହେଉଛନ୍ତି ପୋପ୍ । ଆଉ ଏଭଳି ସର୍ବମାନ୍ୟ ଗୁରୁଙ୍କୁ ଜଣେ ଭାରତ ଭଳି ଗଣତାନ୍ତ୍ରିକ ଦେଶର ଜଣେ ମୁଖ୍ୟମନ୍ତ୍ରୀ ଭେଟିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଭାଟିକାନ ସିଟିରେ ମୁଖ୍ୟମନ୍ତ୍ରୀ ଓ ପୋପଙ୍କ ସାକ୍ଷାତ ସମୟର ୪ଟି ଫଟୋର ଭିନ୍ନ ଭିନ୍ନ ଦୃଶ୍ୟ ରହିଛି

ଫଟୋ ନଂ ୧

ଗୋଟିଏ ଫଟୋରେ ଓଡିଶାର ମୁଖ୍ୟମନ୍ତ୍ରୀ ଛିଡା ହୋଇ ନମସ୍କାର କରୁଛନ୍ତି ଓ ଚୌକିରେ ବସି ପ୍ରତିନମସ୍କାର ଜଣାଉଛନ୍ତି ପୋପ୍ ।

ଫଟୋ ନଂ-୨

ଦ୍ୱିତୀୟ ଫଟୋରେ ପୋପଙ୍କ ସହ କଥାବାର୍ତ୍ତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ରହିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ।

ଫଟୋ ନଂ-୩

ପୋପଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଉପହାର ଓଡିଶାର ପଟ୍ଟଚିତ୍ର ଭଳି ଜଣାପଡୁଛି । ଆଉ ଉପହାରକୁ ଅତି ଖୁସିର ସହ ଗ୍ରହଣ କରୁଛନ୍ତି ପୋପ ।

ଫଟୋ ନଂ-୪

ଚତୁର୍ଥ ଫଟୋଟି ଖ୍ରୀଷ୍ଟଧର୍ମଗୁରୁଙ୍କୁ ଭେଟିବା ପୂର୍ବର ଚିତ୍ର ରହିଛି । ଏଥିରେ ଭାଟିକାନ ସିଟିରେ ନନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଥିବା ଓ ଫଟୋ ସୁଟ କରୁଥିବା ଦେଖିବାକୁ ମିଳିଛି । ଆଉ ସବୁ ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ।

କୁହାଯାଉଛି, ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ଭାବମୂର୍ତ୍ତି ବଢାଇବାର ଏକ ପ୍ରୟାସ । ଏହା ବି ଚର୍ଚ୍ଚା ହେଉଛି ପୋପଙ୍କ ସହ ଭେଟଘାଟ ଜାତୀୟ ରାଜିନୀତିରେ ମୁଖ୍ୟମନ୍ତ୍ରୀଙ୍କ ପତିଆରା ବୃଦ୍ଧି କରିବା ଓ ଧର୍ମନିରପେକ୍ଷତାର ଭାବମୂର୍ତ୍ତିକୁ ବଢାଇବା । ତେବେ ଭାଟିକାନ ସିଟିରେ ପୋପଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଆଉ ଏଥିରେ ସେ ଲେଖିଛନ୍ତି, ପୋପଙ୍କ ସହ ଆଲୋଚନା କରି ସେ ବେଶ ଖୁସି ଅନୁଭବ କରୁଛନ୍ତି । ସାକ୍ଷାତ କରିଥିବାରୁ ଧନ୍ୟବାଦ । ପୋପଙ୍କ ସୁସ୍ଥ ତଥା ଦୀର୍ଘାୟୁ କାମନା କରୁଛି । ଭାଟିକାନ ସିଟିରେ ଖ୍ରୀଷ୍ଟଧର୍ମର ସର୍ବମାନ୍ୟ ଗୁରୁ ପୋପ ଫ୍ରାନସିସ୍ଙ୍କୁ ସାକ୍ଷାତ ପରେ ଦୁବାଇ ଗସ୍ତରେ ଯିବେ ନବୀନ । ସେଠାରେ ସେ ପୁଞ୍ଜିନିବେଶକ ଓ ପ୍ରବାସୀ ଓଡିଆଙ୍କୁ ଭେଟିବେ ।