ରାଇରଙ୍ଗପୁରରୁ ରାଇସିନା ହିଲ୍ ରେସ୍ । ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ । 

ସ୍ୱାମୀ ଓ ପୁଅକୁ ହରାଇବା ପରେ ବି ଭାଙ୍ଗିପଡିନଥିଲେ ଦ୍ରୌପଦୀ

208

କନକ ବ୍ୟୁରୋ: ରାଇରଙ୍ଗପୁରରୁ ରାଇସିନା ହିଲ୍ ରେସ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତେବେ ତାଙ୍କର ଏହି ସଫଳତା ପଛରେ ରହିଛି ସଂଘର୍ଷର କାହାଣୀ । ତାଙ୍କ ସାଂସାରିକ ଜୀବନରେ ଅନେକ ଦାରୁଣ ଦୁଃଖ ସତ୍ତେ୍ୱ ସେ ନଇଁ ପଡିନାହାନ୍ତି । ଦମ୍ଭ ଓ ଧୈର୍ଯ୍ୟର ପରିସ୍ଥିତିର ମୁକାବିଲା କରି ଆଜି ସେ ସଫଳ ହୋଇଛନ୍ତି ।

  • ସଂଘର୍ଷର ଅନ୍ୟନାମ ଦ୍ରୌପଦୀ
  • ଦୁଃଖରେ ଭାଙ୍ଗି ନପଡି ଜାରି ରଖିଥିଲେ ସଂଘର୍ଷ

ଅନେକ ସମୟରେ ଦେଖାଯାଏ ଦୁଃଖ ମଣିଷର ମନୋବଳକୁ ଭାଙ୍ଗିଦିଏ । ହେଲେ, ଦ୍ରୌପଦୀ ଥିଲେ ନିଆରା । ଦୁଃଖ ତାଙ୍କ ମନୋବଳକୁ ଆହୁରି ଶକ୍ତିଶାଳୀ କରିଥିଲା । ଜୀବନର ଝଡ ଭିତରେ ଭାଙ୍ଗି ନପଡି ଅଣ୍ଟା ସଳଖି ଠିଆ ହେବାକୁ ଉଦ୍ୟମ ଜାରି ରଖିଥିଲେ । ଦୁଃଖ ଯନ୍ତ୍ରଣାର ଛାଇ ଆଲୁଅ ଖେଳ ଭିତରେ ଉପରକୁ ଉଠିଥିଲେ ।

  • ୨୦୦୨ରେ ସ୍ୱାମୀଙ୍କୁ ହରାଇଥିଲେ
  • ଅସମୟରେ ଯାଇଥିଲା ଦୁଇ ପୁଅଙ୍କ ଜୀବନ

ରାଜନୀତିରେ ନୂଆ କରି ଭାଗ୍ୟ ପରୀକ୍ଷା କରୁଥିବାବେଳେ ହାତ ଛାଡି ଚାଲିଯାଇଥିଲେ ସ୍ୱାମୀ ଶ୍ୟାମାଚରଣ ମୁର୍ମୁ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏତିକିରେ ତାଙ୍କର ଦୁଃଖ ସରିନଥିଲା, ୨୦୦୯ରେ ଅସମୟରେ ଗୋଟିଏ ପୁଅର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା । ୨୦୧୨ରେ ଆଉ ଗୋଟିଏ ପୁଅର ଦୁର୍ଘଟଣାରେ ଜୀବନ ଯାଇଥିଲା । ହେଲେ, ବ୍ୟକ୍ତିଗତ ଜୀବନରେ ଏତେ ଦୁଃଖ, ଯନ୍ତ୍ରଣା ସତ୍ୱେ ଭାଙ୍ଗି ପଡିନଥିଲେ ଦ୍ରୌପଦୀ । ନିଜକୁ ଦେଶ ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦେଇଥିଲେ । ତେବେ ତାଙ୍କ ସାନ ଝିଅ ଇତିଶ୍ରୀ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ଜ୍ୱାଇ ଜଣେ ରଗବୀ ଖେଳାଳି ।

  • ଦାରିଦ୍ର୍ୟ ସତ୍ତ୍ୱେ ପାଠ ପଢ଼ିବାକୁ ଆସିଥିଲେ ଭୁବନେଶ୍ୱର
  • ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ିଥିଲେ ପାଠ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ ଜୀବନର ଏକ ଅଜଣା ତଥ୍ୟ ଏବେ ସାମ୍ନାକୁ ଆସିଛି । ଦାରିଦ୍ର୍ୟ ସତ୍ତେ୍ୱ ତାଙ୍କର ପ୍ରବଳ ଇଛା ଶକ୍ତି ଯୋଗୁଁ ସେ ୧୯୭୪ ମସିହାରେ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିବାକୁ ଆସିଥିଲେ । ହଷ୍ଟେଲରେ ରହୁଥିବା ବେଳେ କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ ବୋଲି କହିଛନ୍ତି ତାଙ୍କ ପତ୍ନୀ । ସେ ଖୁବ୍ ଶାନ୍ତ ସ୍ୱଭାବର ଥିଲେ । ନିଜେ ପାଠପଢ଼ିବା ସହ ଅନ୍ୟ ପିଲାଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ । ଏବେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପୁରୁଣା ସ୍କୁଲ ନୂଆ ଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ପରସ୍ପରକୁ ମିଠା ଖୁଆଇ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀତ୍ୱକୁ ସେଲିବ୍ରେସନ୍ କରିଛନ୍ତି ।

ଦ୍ରୌପଦୀ ମାଟ୍ରିକ ପାସ କରିବା ପରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ବିଏ ପାସ ପରେ ଅର୍ଥାଭାବରୁ ଅଧିକ ପଢ଼ିବା ସମ୍ଭବ ହୋଇନଥିଲା । ୧୯୭୯ରେ ସଚିବାଳୟରେ ଜଣେ କ୍ଲର୍କ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ତାପରେ ପରିବାର ଯତ୍ନ ନେବା ପାଇଁ ଚାକିରୀ ଛାଡିଥିଲେ । ରାଇରଙ୍ଗପୁରରେ ଆସି ରହିଥିଲେ । ଏହି ସମୟରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷାଦାନ କରିଥିଲେ । ୧୯୯୭ରେ ରାଜନୀତିରେ ଯୋଗ ଦେଇଥିଲେ । ରାଇରଙ୍ଗପୁର ଏନଏସିର ସ୍ୱାଧୀନ କାଉନସିଲର ଭାବେ ବିଜୟୀ ହୋଇ ଉପନଗରପାଳ ଦାୟିତ୍ୱ ତୁଲାଇଥିଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାଁନ୍ତିି ଦ୍ରୌପଦୀ ମୁର୍ମୁ । ଆଉ ଏବେ ଦେଶର ପ୍ରଥମ ନାଗରିକ ହୋଇପାରନ୍ତି ।