ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ । ବିଦ୍ରୋହୀ ବିଧାୟକଙ୍କୁ ଧରି ଗୁଆହାଟୀ ଉଡ଼ିଗଲେ ଏକନାଥ ସିନ୍ଦେ । ପଢନ୍ତୁ, କଣ କହିଲେ ଉଦ୍ଧବ…

166

କନକ ବ୍ୟୁରୋ: ମହାସଙ୍କଟରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାର । ଶିବସେନାର ବିଦ୍ରୋହୀ ଗୁଜରାଟରୁ ବାହାରି ଗୌହାଟୀରେ ପହଞ୍ଚିଛନ୍ତି । ଗୌହାଟୀରେ ପହଞ୍ଚିବା ପରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି । ଗୌହାଟୀରେ ଥିବା ବିଧାୟକ ସହ ୫ ଜଣ ମନ୍ତ୍ରୀ ଥିବା କୁହାଯାଉଛି । ଯଦି ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସମର୍ଥନ ନିଜ ସପକ୍ଷରେ ନିଅନ୍ତି ତେବେ, ଉଦ୍ଧବ ଠାକରେଙ୍କ ସରକାର ପାଇଁ ବଡ଼ ଝଟ୍କା ହେବ ।

ତେବେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଫେସବୁକ ଲାଇଭ କରି ରାଜ୍ୟବାସୀ ଓ ଏକନାଥ ସିନ୍ଦେକୁ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯଦି ଇସ୍ତଫା ଦରକାର ଥିଲା ତେବେ, ସାମ୍ନାକୁ ଆସି କଥା ହୁଅନ୍ତୁ । ସାମ୍ନାସାମ୍ନି କହିଥିଲେ, ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ସେଥିପାଇଁ ସୁରଟ, ଗୌହାଟି ଯିବା ଜରୁରୀ କଣ? ସାମ୍ନାରେ କହିବାକୁ ସଙ୍କୋଚ ଲାଗୁଥିଲେ ଫୋନ କରି କୁହ । ଶିବସୈନିକ ହୋଇ ଶିବସେନା ସହ ବିଶ୍ୱାସଘାତ ଠିକ ନୁହେଁ ବୋଲି ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ରାଜନୈତିକ ହଟଚମଟ ଭିତରେ କ୍ୟାବିନେଟ ବୈଠକ କରିଛନ୍ତି ଉଦ୍ଧବ ଠାକରେ । ଯେଉଁଥିରେ ଏକନାଥ ସିନ୍ଦେଙ୍କ ସମେତ ୮ ଜଣ ମନ୍ତ୍ରୀ ଅନୁପସ୍ଥିତ ରହିଥିଲେ । ସେପଟେ ମୁମ୍ବାଇରୁ ସୁରଟ ଓ ପରେ ଗୌହାଟିରେ ସମର୍ଥକ ବିଧାୟକଙ୍କ ସହ ପହଞ୍ଚିଛନ୍ତି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ସୁରଟ ହୋଟେଲରୁ ଆସିଥିବା ଏକ ଫଟୋ ସ୍ପଷ୍ଟ କରିଛି, ମହାରାଷ୍ଟ୍ର ରାଜନୀତିର ପଶାପାଲିରେ ଗୋଟି ଚାଳନା ଚାଲିଛି । ଏବେ ୪୬ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ଏକନାଥ ସିନ୍ଦେ ।

ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ସରକାରର ଯେକୌଣସି ମୁହୂର୍ତ୍ତରେ ପତନ ଘଟିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଅସନ୍ତୁଷ୍ଟ ବିଧାୟକଙ୍କ ସହ ଡେରା ପକାଇଥିବା ଏକନାଥଙ୍କୁ ମନାଇବା ପାଇଁ ଶିବସେନା ପକ୍ଷରୁ ପ୍ରୟାସ ଜାରି ରହିଛି । କିନ୍ତୁ ବିଜେପ ସହ ମେଣ୍ଟ କରିବାକୁ ଅଡିବସିଛନ୍ତି ଏକନାଥ ।

ମହାରାଷ୍ଟ୍ରରେ ଏବେ ନେତା ନେତାଙ୍କୁ ଭେଟୁଛନ୍ତି । ଦଳର ଘନ ଘନ ବୈଠକ ହେଉଛି , ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି । କଂଗ୍ରେସ ପ କ୍ଷରୁ ଡେମେଜ କଂଟ୍ରୋଲ ପାଇଁ ବରିଷ୍ଠ ନେତା କମଲନାଥ ମୁମ୍ବାଇ ପହଞ୍ଚି କଂଗ୍ରେସ ବିଧାୟକଙ୍କ ସହ ବୈଠକ କରିଛନ୍ତି । ଏନସିପି ମଧ୍ୟ ଗୁରୁବାର ବିଧାୟକ ଦଳ ବୈଠକ ଡାକି ହ୍ୱିପ ଜାରି କରିଛି । ସେପଟେ ବିଜେପି ଦଳୀୟ ବିଧାୟକଙ୍କ ପାଇଁ ଫତୁଆ ଜାରି କରିଛି । ବିଧାୟକମାନେ ମୋବାଇଲ ଅନ ରଖିବା ସହ ୨୪ ଘଣ୍ଟା ନେଟୱର୍କ ଏରିଆ ଭିତରେ ରହିବାକୁ କଡା ନିର୍ଦ୍ଦେଶ ରହିଛି ।

ଏସବୁ ଭିତରେ ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି, ତେଣୁ ଆଗକୁ କଣ ହେବ କହିବା ମୁସ୍କିଲ । ସ୍ଥିତି ଏମିତି ହେଇଛି ଯେ ସରକାର ବଞ୍ଚାଇବାକୁ ଶିବସେନା ପଛରେ କଂଗ୍ରେସ ଓ ଏନସିପି ଲାଗିଛନ୍ତି । ଆଉ ଶିବସେନା ଏକନାଥ ସିନ୍ଦେଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି, ସେପଟେ ଏକନାଥ ସିନ୍ଦେ ବିଜେପି ସହ ମେଣ୍ଟ କରି ସରକାର ଗଢିବାକୁ ଅଡି ବସିଛନ୍ତି ।