ସିନେମା ହଲରେ ଜାତୀୟ ସଙ୍ଗୀତ ବଜାଇବା ନେଇ ନିଜ ନିଷ୍ପତ୍ତିିରୁ ଓହରିଗଲେ ସୁପ୍ରିମକୋର୍ଟ : ଆଜି କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କଲେ ଗ୍ରହଣ

56

କନକ ବ୍ୟୁରୋ :  ନଭେମ୍ବର ୩୦, ୨୦୧୬ରେ ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠଙ୍କ ରାୟ ଦେଇଥିଲେ ସିନେମା ହଲରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ । ଏହା ପରେ ସିନେମା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ପରିବେଷଣ ହେଉଥିଲା ଜାତୀୟ ସଂଗୀତ । ଜାତୀୟ ସଂଗୀତ ଗାନ ବେଳେ ସମସ୍ତଙ୍କୁ ଠିଆ ହୋଇ ସମ୍ମାନ ଜଣାଇବା ବାଧ୍ୟତାମୂଳକ ଥିଲା । ତେବେ ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଦେଶବ୍ୟାପୀ ବିତର୍କ ଜାରି ରହିଥିଲା । ବିଭିନ୍ନ ମହଲରୁ ଏ ନେଇ ପ୍ରଶ୍ନ ଉଠିଥିଲା । ପୁଣି ଥରେ ଏହା ଉପରେ ତର୍ଜମା କରିଥିଲେ ସୁପ୍ରିମକୋର୍ଟ ।

ଏ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ଗତ ଅକ୍ଟୋବର ମାସରେ ବସିଥିଲା ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ୍ ମଧ୍ୟ ଏହି ମାମଲା ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ, ଭାରତୀୟଙ୍କୁ ନିଜ ଦେଶପ୍ରେମ ଦେଖାଇବା ଆବଶ୍ୟକତା ନାହିଁ । ଯଦି ଜଣେ ଜାତୀୟ ସଂଗୀତ ଗାନ ବେଳେ ଠିଆ ନହେଲା ତାଙ୍କୁ ଦେଶପ୍ରେମୀ ନୁହେଁ ବୋଲି କୁହାଯାଇପାରିବ ନାହିଁ । ଏହା ପରେ ଖଣ୍ଡପୀଠ ଏ ନେଇ ତର୍ଜମା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ୧୨ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ।

ସିନେମା ହଲରେ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ ହେବା ପରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଜାତୀୟ ସଂଗୀତ ଗାନ ବେଳେ ଯେପରି ଶୃଙ୍ଖଳା ରହିବା ଆବଶ୍ୟକ, ତାହା ବଜାୟ ରଖିବା ମଧ୍ୟ କଷ୍ଟକର ହେଉଥିଲା ।ସୋମବାର ଦିନ ଆଟର୍ନିଂ ଜେନେରାଲ୍ କେ କେ ଭେନୁଗୋପାଳ ସତ୍ୟପାଠ ଦାଖଲ କରି କେନ୍ଦ୍ରସରକାରଙ୍କ ଆଭିମୁଖ୍ୟ ଜଣାଇଥିଲେ । ଯାହାକୁ ଗ୍ରହଣ କରି ସିନେମା ହଲରେ ରାଷ୍ଟ୍ରୀୟ ସଂଗୀତ ଗାନକୁ ଇଚ୍ଛାଧୀନ କରିଛନ୍ତି ସୁପ୍ରିମକୋର୍ଟ ।