ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଆଗାମୀ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି

25

କନକ ବ୍ୟୁରୋ : ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ସଂଯୁକ୍ତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷାରୁ ଜଣାଯାଇଛିଯେ ବିଦ୍ୟୁତିକରଣ କାର୍ଯ୍ୟକ୍ରମ ରାଜ୍ୟରେ ସନ୍ତୋଷଜନକ ଭାବରେ ଆଗେଇ ଚାଲିଛି । ବର୍ତ୍ତମାନ ରାଜ୍ୟର ୪୭,୬୭୭ ଗାଁ ମଧ୍ୟରୁ ୪୭,୬୬୫ ଗାଁକୁ ବିଜୁଳି ସଂଯୋଗ କରାଯାଇଛି ଏବଂ ମାତ୍ର ୨୨ଟି ଗାଁରେ ବିଜୁଳି ସଂଯୋଗ ବାକି ରହିଛି । ଏହା ଚଳିତ ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରାଯିବ । ସେହିପରି ରାଜ୍ୟର ୨୨,୦୦୦ ଆଂଶିକ ବିଦ୍ୟୁତିକରଣ ହୋଇଥିବା ଗାଁ ଗୁଡ଼ିକ ଉପରେ ଅଧିକ ଫୋକସ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କେନ୍ଦୁଝର,ମୟୁରଭଂଜ,କୋରାପୁଟ,ବଲାଙ୍ଗୀର, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲା ମାନଙ୍କରେ ଏଭଳି ଗାଁ ଅଧିକ ରହିଛି । ତେଣୁ ପ୍ରତି ମାସରେ ହାରାହାରି ୩ ଗୋଟି ଜିଲ୍ଲାରେ ବିଜୁଳି ସଂଯୋଗ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ନେଇ ଆଗାମୀ ୧୦ ମାସ ମଧ୍ୟରେ ସବୁ ଜିଲ୍ଲାକୁ ସଂପୂର୍ଣ୍ଣ ବିଦ୍ୟୁତିକରଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।

ସେହିପରି ୨୮ ଲକ୍ଷ୍ୟ ପରିବାରକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇ ଅକ୍ଟୋବର ୨ ସୁଦ୍ଧା ଓଡ଼ିଶାର ସହର ଓ ଗାଁର ସବୁ ଘରେ ବିଜୁଳି ସୁବିଧା ଉପଲବ୍ଧ କରାଯିବ । ଏହାର ଅଗ୍ରଗତି ସଂପର୍କରେ ପ୍ରତି ମାସରେ ମୁଖ୍ୟ ଶାସନ ସଚୀବ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ କାର୍ଯ୍ୟ ଦାୟିତ୍ୱ ନେଇଥିବା ସଂସ୍ଥା ସହିତ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚୀବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚୀବ,ଶକ୍ତି ସଚୀବ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।