ଇତିହାସ ରଚିବାକୁ ଯାଉଛି ନାସା ! ଲଞ୍ଚ କରିବାକୁ ଯାଉଛି ପାଣିରେ ଉଡିପାରୁଥିବା ସାଟେଲାଇଟ୍ ।

177

କନକ ବ୍ୟୁରୋ : ପାଣିରେ ଉଡ଼ିବ ସ୍ୟାଟେଲାଇଟ୍ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା, ଏମିତି ଏକ ସ୍ୟାଟେଲାଇଟ୍ ଲଂଚ କରିବାର ପ୍ରସ୍ତୁତି କରୁଛି । ଯେଉଁ ସ୍ୟାଟେଲାଇଟ୍ ପାଣି ସାହାଯ୍ୟରେ ଉଡ଼ିବ । ଅର୍ଥାତ ଏହି ସ୍ୟାଟେଲାଇଟରେ ଇନ୍ଧନ ଭଳି କାମ କରିବ ପାଣି । ଯଦି ନାସାର ଏହି ମିଶନ ସଫଳ ହୁଏ, ତେବେ ଇନ୍ଧନରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ସଂଚୟ କରିହେବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତମାସ ଶେଷ ସୁଦ୍ଧା, ପିଟିଡି ଅର୍ଥାତ ପାଥଫାଇଣ୍ଡର ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଅଧୀନରେ, ପ୍ରଥମଥର ପାଇଁ ପାଣିରେ ଉଡୁଥିବା କ୍ୟୁବସେଟ୍ ସ୍ୟାଟେଲାଇଟ୍ ଲଂଚ କରାଯିବ । ଏହି ସ୍ୟାଟେଲାଇଟର ଲଂଚି ଆମେରିକାର ଫ୍ଲୋରିଡା ସ୍ଥିତ ସ୍ପେଶ ଷ୍ଟେସନରୁ ସ୍ପେଶଏକ୍ସର ଫାଲକନ-୯ ରକେଟରୁ କରାଯିବ ।

ତେବେ ଏହି ସ୍ୟାଟେଲାଇଟର ପ୍ରୋଜେକ୍ଟ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଏପରି ସ୍ୟାଟେଲାଇଟ୍ ଲଚିଂ କରିବା ଦ୍ୱାରା, ଅନ୍ତରୀକ୍ଷରେ ପ୍ରଦୂଷଣ ହେବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କେବଳ ଛୋଟ ସ୍ୟାଟେଲାଇଟରେ କରାଯିବ । ଏବଂ ଯଦି ଏହି ମିଶନ ସଫଳ ହୁଏ, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ସ୍ୟାଟେଲାଇଟ ପାଇଁ ମଧ୍ୟ ଉପଯୋଗ କରାଯାଇପାରେ ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ସ୍ୟାଟେଲାଇଟ୍ ଉଡିବ କେମିତି ? କ୍ୟୁବସାଟ୍ ସିଷ୍ଟମକୁ ଏପରି ବିକଶିତ କରାଯାଇଛି ଯେ, ଏହା ଭିତରେ ଥିବା ପାଣିରୁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନର କଣିକା ଭାଙ୍ଗି ଏହାକୁ ଆଗକୁ ବଢିବାକୁ ଶକ୍ତି ଯୋଗାଇବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯେତେବେଳେ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ଗ୍ୟାସ୍ ଫର୍ମକୁ ଆସନ୍ତି, ସେତେବେଳେ, ସେମାନଙ୍କ ଉର୍ଜା ବହୁତ ଅଧିକ ରହିଥାଏ ।

ତେବେ ଫାଲକନ୍-୯ ରକେଟରେ ପ୍ରଥମଥର ପାଇଁ ୬ଟି କ୍ୟୁବସାଟ୍ ସ୍ୟାଟେଲାଇଟ୍ ଲଂଚ କରାଯିବ । ଏହା ୪ରୁ ୬ ମାସ ଧରି ଅନ୍ତରୀକ୍ଷରେ କାମ କରିବ । ଏହି ସମୟରେ ସ୍ୟାଟେଲାଇଟର ପ୍ରଦର୍ଶନ ଉପରେ ନଜର ରଖିବ ନାସା । ଏବଂ କଣ ସମସ୍ୟା ସୃଷ୍ଟି ହେଉଛି, ତାଉପରେ ମଧ୍ୟ ନଜର ରଖାଯିବ ।