ପଂଚମ ଦିନରେ ପହଞ୍ଚିଲା ନବନିର୍ମାଣ କୃଷକ ସଂଗଠନର ମହାସତ୍ୟାଗ୍ରହ ! ଆଜିଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ, ସାମିଲ ହେଲେ ଶତାଧିକ ଚାଷୀ

21

କନକ ବ୍ୟୁରୋ: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ପଂଚମ ଦିନରେ ପହଞ୍ଚିଛି । ଏବେ ମଧ୍ୟ ଶତାଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ । ଆଜି ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରିବାକୁ ସଂଗଠନ ଡାକରା ଦେଇଛି । ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ନେତୃବନ୍ଦ ଧାରଣାସ୍ଥଳକୁ ଯାଇ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି । ଅପରପକ୍ଷରେ ଅନଶନରେ ବସିଥିବା ୪ଜଣ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଗତକାଲି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି । ସଂଗଠନର କହିବାନୁଯାୟୀ, ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି । ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ । ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି ।

ଅସୁସ୍ଥ ହୋଇପଡ଼ିଥିବା ବ୍ୟକ୍ତିମାନେ ହେଉଛନ୍ତି ଶ୍ରୀନିବାସ ନାୟକ, ଅଜୟ ବେହେରା, ଭଗବାନ ମହାନ୍ତି ଓ ପ୍ରତାପ ଚନ୍ଦ୍ର ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସୁସ୍ଥ ହେବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଅନ୍ୟପକ୍ଷରେ ଗତକାଲି ସମତାକ୍ରାନ୍ତି ଦଳର ନେତା ପ୍ରଭାସ ସାମନ୍ତରାୟ ଓ ଅନ୍ୟମାନେ ଅନଶନସ୍ଥଳକୁ ଯାଇ ସମର୍ଥନ ଜଣାଇଛନ୍ତି ।