ପଦରୁ ହଟିପାରନ୍ତି ପ୍ରସାଦ : ଆଜି ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଏଆଇସିସିର ବୈଠକ । ଦିଲ୍ଲୀ ଗସ୍ତରେ ଥିବା ନେତା ଉଠାଇବେ ପିସିସି ନେତୃତ୍ୱ ପରିବର୍ତନ ପ୍ରସଙ୍ଗ

16

କନକ ବ୍ୟୁରୋ : ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି କଂଗ୍ରେସର ତିନି ଦିନିଆ ମହାଅଧିବେଶନ । ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଏହା ପ୍ରଥମ ଅଧିବେଶନ । ସମଗ୍ର ଦେଶରୁ ପ୍ରାୟ ୧୨ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମଂଚରେ କହିବାର ସୁଯୋଗ ମିଳିବ ।

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସକୁ ସଶକ୍ତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିବ ଦଳ । ଆଉ ଏହାରି ଭିତରେ ନଜର ରହିଛି ଦିଲ୍ଲୀ ଯାଇଥିବା କଂଗ୍ରେସ ନେତା ପିସିସି ନେତୃତ୍ୱ ପ୍ରସଙ୍ଗରେ କି ଆଭିମୁଖ୍ୟ ରଖିବେ । କାରଣ ପଂଚାୟତ ନିର୍ବାଚନରେ କଂଗ୍ରେସ ଦଳ ଓଡିଶାରେ ତୃତୀୟ ସ୍ଥାନକୁ ଖସିଆସିବା ଓ ବିଜେପୁର ଉପନିର୍ବାଚନରେ ଅମାନତ ହରାଇବା ପରେ ପିସିସି ନେତୃତ୍ୱ ବିରୋଧରେ ଖୋଲାଖୋଲି ବିଷୋଦଗାର ଆରମ୍ଭ କରିଦେଇଛନ୍ତି ନେତା । ‘ମୁଁ ନୁହେଁ ଆମେ’ର ସ୍ଲୋଗାନ ଦେଇଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଦଳ ଭିତରେ ଦେଖାଦେଇଥିବା ଅସନ୍ତୋଷକୁ ତୁଷ୍ଟ କରିବାରେ ସମର୍ଥ ହେଲାଭଳି ଲାଗୁନାହିଁ । ଦଳୀୟ ବିଧାୟକମାନେ ଖୋଲାଖୋଲି ଘୋଷଣା କଲେଣି ଯେ, ପ୍ରସାଦଙ୍କ ନେତୃତ୍ୱରେ ସେମାନେ ଆଉ ନିର୍ବାଚନ ଲଢିବେ ନାହିଁ । ଏଭଳି ସ୍ଥିତିରେ ଯିଏ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବ ସେ ଦଳ ଛାଡିବ ବୋଲି ବରିଷ୍ଠ ନେତା ସୁର ରାଉତରାୟଙ୍କ ମନ୍ତବ୍ୟ ପ୍ରସାଦଙ୍କ ବିରୋଧରେ ଦେଖାଦେଇଥିବା ଅସନ୍ତୋଷକୁ ଆହୁରି ବଢାଇଦେଇଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ସଜବାଜ ଜୋର କରିଥିବା ବେଳେ କଂଗ୍ରେସ ତାର ସ୍ଥିତି ସଜାଡିବା ପରିବର୍ତ୍ତେ ଉଜାଡିବାକୁ ଯୋଜନା ଚଳାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ଏଭଳି ସ୍ଥିତି ଲାଗି ରହିଲେ, ଆଗାମୀ ଦିନରେ କଂଗ୍ରେସ ସ୍ଥିତି ହରାଇପାରେ ବୋଲି ଏହି ମହଲରେ ଆଶଙ୍କା ପ୍ରକାଶ କରୁଛନ୍ତି।

ରାଜ୍ୟ କଂଗ୍ରେସର ଏଭଳି ସଙ୍ଗିନ ସ୍ଥିତିକୁ ସ୍ୱୀକାର କରି ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି, ରାଜ୍ୟରେ କଂଗ୍ରେସ ଦଳ ବିପର୍ଯ୍ୟୟ ଆଡ଼କୁ ମୁହାଁଇଛି। ଏହାର ଅନେକ ପ୍ରମାଣ ରହିଛି। ରାଜ୍ୟ କଂଗ୍ରେସ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହାର ନେତୃତ୍ୱ । ଏହାର ପରିବର୍ତ୍ତନ ପାଇଁ ଆମେ ବାରମ୍ବାର ହାଇକମାଣ୍ଡଙ୍କୁ ଜଣାଇଛୁ। କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ହାତରେ ନେତୃତ୍ୱ ପରିବର୍ତ୍ତନ କ୍ଷମତା ରହିଛି। ସେ ଚାହିଁଲେ, ଓଡ଼ିଶାରେ କଂଗ୍ରେସ ସଂଗଠନ ସୁଦୃଢ଼ ହୋଇପାରିବ। ହେଲେ କିଛି ବି ହେଉନି। ପରୋକ୍ଷରେ ଶ୍ରୀ ଶର୍ମା ହାଇକମାଣ୍ଡଙ୍କ ଆଭିମୁଖ୍ୟ ଓ ଓଡ଼ିଶା ପ୍ରତି ନେତୃତ୍ୱର ଆନ୍ତରିକତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଟାଣିଛନ୍ତି।

ଏମିତି ସ୍ଥିତିରେ ଯିଏ ନେତୃତ୍ୱକୁ ଚ୍ୟାଲେଂଜ କରିବ, ଯାହାକୁ କଂଗ୍ରେସ ଭଲ ଲାଗୁନାହିଁ, ସେ ତୁରନ୍ତ ଦଳ ଛାଡୁ ବୋଲି ବରିଷ୍ଠ ନେତା ସୁର ରାଉତରାୟଙ୍କ ମନ୍ତବ୍ୟ ପିସିସି ସଭାପତିଙ୍କ ବିରୋଧରେ ଦେଖା ଦେଇଥିବା ଅସନ୍ତୋଷକୁ ଆହୁରି ତୀବ୍ର କରିଛି। ସୁରଙ୍କ ଏମିତି ବିବୃତିର କଡା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି। ସୁରଙ୍କୁ ଟାର୍ଗେଟ କରିବା ସହ ସିଧାସଳଖ ସମାଲୋଚନା କରିଛନ୍ତି ସଭାପତିଙ୍କୁ। କହିଛନ୍ତି, ସୁରଙ୍କ କଥାର କୌଣସି ମୂଲ୍ୟ ନାହିଁ। ସେ ହିଁ କଂଗ୍ରେସ ଧ୍ୱଂସର ମୂଳ କାରଣ। ପ୍ରସାଦ ଯଦି ପିସିସି ସଭାପତିରୁ ପରିବର୍ତ୍ତନ ନ ହୁଅନ୍ତି ତେବେ ଦଳର ଅଧିକାଂଶ ନେତା ନିର୍ବାଚନ ଲଢିବେନି। ଏପରିକି ସେ ନିଜେ ମଧ୍ୟ ନିର୍ବାଚନ ଲଢିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ପ୍ରସାଦ ସଭାପତି ରହିଲେ ଦଳର ବଡ କ୍ଷତି ହେବ ବୋଲି ସେ ସର୍ତକ କରାଇଛନ୍ତି।