ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଜାଣନ୍ତୁ ଏହି ଆଇସକ୍ରିମର ସ୍ୱତନ୍ତ୍ରତା ।

258

କନକ ବ୍ୟୁରୋ : ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଆଇସକ୍ରିମ୍ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ସାରା ଦୁନିଆରେ ବିଭିନ୍ନ ପ୍ରକାରର ଆଇସକ୍ରିମ୍ ମିଳିଥାଏ । ଆପଣମାନେ ମଧ୍ୟ କେବେ ନା କେବେ ନିଶ୍ଚୟ ଆଇସକ୍ରିମ୍ ଖାଇଥିବେ । ତେବେ ସାଧାରଣତଃ ଆଇସକ୍ରିମକୁ ଆପଣ କେତେ ଟଙ୍କା ଦେଇ କିଣିଥିବେ । ୫୦ ଟଙ୍କା ୧୦୦ ଟଙ୍କା, ନହେଲେ ଦାମୀ ଆଇସକ୍ରିମ୍ ହୋଇଥିଲେ ଅତି ବେଶୀରେ ୧ ହଜାର ଟଙ୍କା ଭିତରେ ।

କିନ୍ତୁ ଯଦି କେହି ଆପଣଙ୍କୁ ଆଇସକ୍ରିମ୍ ବାବଦକୁ ୬୦ ହଜାର ଟଙ୍କା ମାଗେ, ତେବେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଭାବୁଥିବେ ଯେ, ସତରେ କଣ ଆଇସକ୍ରିମର ଦାମ୍ ଏତେ ମହଙ୍ଗା ହୋଇପାରେ । ଆଇସକ୍ରିମରେ ଏମିତି କଣ ରହିଛି ଯେ, ଏହାର ଦାମ୍ ଏତେ ଅଧିକ । ତେବେ ଆସନ୍ତୁ ଜାଣିବା ଏହି ଆଇସକ୍ରିମରେ କଣ ରହିଛି ସ୍ୱତନ୍ତ୍ରତା ।

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ମହଙ୍ଗା ଆଇସକ୍ରିମ ବାବଦରେ କହିବୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ । ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ଲାକ୍ ଡାଇମଣ୍ଡ ଆଇସକ୍ରିମର ଦାମ ହେଉଛି ୮୪୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୬୨, ୯୦୦ ଟଙ୍କା । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ ବୋଲି କୁହାଯାଏ ।

ଏବେ ଆପଣ ଭାବୁଥିବେ ଏହି ଆଇସକ୍ରିମରେ ଏମିତି ସ୍ୱତନ୍ତ୍ରତା କଣ ରହିଛି । ଏହି ଆଇସକ୍ରିମରେ ଇଟାଲିଆନ୍ ଟ୍ରଫଲ୍ସ, ଏମବ୍ରୋସିୟଲ ଇରାନୀ କେସର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନାର କୋଟ୍ ଦିଆଯାଇଥାଏ । ଯେଉଁଥିପାଇଁ ଏହି ଆଇସକ୍ରିମର ସ୍ୱାଦ ବେଶ୍ ନିଆରା । ଏବଂ ସାରା ବିଶ୍ୱରେ ଏହା ସବୁଠାରୁ ମହଙ୍ଗା ଆଇସକ୍ରିମ୍ ।