ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ । ଖୋଲିପାରୁନି ମୃତ୍ୟୁ ପଛର ରହସ୍ୟ, ସତ ଲୁଚାଉଛି କିଏ । ସୌମ୍ୟଙ୍କ ପରିବାର କହୁଛି, ଡିଏଫଓଙ୍କ ସହ ସମ୍ପର୍କ ରଖୁଥିଲେ ବିଦ୍ୟାଭାରତୀ । ସେପଟେ ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଲେ ପତ୍ନୀ ।

350

କନକ ବ୍ୟୁରୋ : ସୌମ୍ୟଙ୍କ ମୃତ୍ୟୁକୁ ପୂରିଲା ୧୦ଦିନ । ବଢୁଛି ରହସ୍ୟ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁକୁ ଆଜି ୧୦ଦିନ ପୁରିଛି । ସୌମ୍ୟଙ୍କ ମୃତ୍ୟୁ ଯେତିକି ଗୁମର ଭିତରେ ରହିଛି, ସେତିକି ରହସ୍ୟ ମଧ୍ୟ ବଢୁଛି । ମାସକ ତଳେ ବିବାହ କରିଥିବା ସୌମ୍ୟରଂଜନ ମହାପାତ୍ରଙ୍କ ଦେହାନ୍ତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସରକାରୀ କ୍ୱାର୍ଟରରେ ଅଦରକାରୀ କାଗଜପତ୍ର ପୋଡୁଥିବା ବେଳେ ସୌମ୍ୟଙ୍କ ସାରା ଦେହରେ ନିଆଁ ଲାଗିଯାଇଥବା କୁହାଯାଉଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ପରେ ଏହି ଅଗ୍ନିକାଣ୍ଡକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଏହା କେବଳ ଦୁର୍ଘଟଣା ନା ଏହା ପଛରେ ଆଉ କିଛି କାରଣ ଲୁଚି ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି ।

ଏଇ କିଛି ମାସ ତଳେ ବାହା ହୋଇଥିଲା ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବିବାହ । ହେଲେ ଦୁହିଁଙ୍କ ଜୀବନରେ ଏମିତି ଏକ ଝଡ଼ ମାଡିଆସିଲା, ଯାହା ସବୁ କିଛି ଛାରଖାର କରିଦେଲା । ଜିଅନ୍ତା ଜଳିଗଲେ ସହକାରୀ ବନ ସଂରକ୍ଷକ । ତେବେ କେଉଁ ସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା? ନିଆଁ ଲାଗିବା ସମୟରେ ତାଙ୍କ ପତ୍ନୀ କରୁଥିଲେ କ’ଣ? କେତେ ବଡ଼ ଅଗ୍ନିକାଣ୍ଡ ହେଲା ଯେ, ଦେହର ୯୦% ପୋଡ଼ିଗଲା? ଏମିତି ଅନେକ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । କିନ୍ତୁ ସୌମ୍ୟଙ୍କ ମୃତ୍ୟୁକୁ ଏହାରି ଭିତରେ ୧୦ଦିନ ବିତିଯାଇଥିଲେ ସୁଦ୍ଧା, ମୃତ୍ୟୁର ରହସ୍ୟ ପାଖରେ ପୋଲିସ ପହଞ୍ଚିପାରିନି ।

ଆଉ ଏହାରି ଭିତରେ ସୌମ୍ୟଙ୍କ ପରିବାର ଲୋକେ ପତ୍ନୀ ବିଦ୍ୟାଭାରତୀଙ୍କୁ ଦାୟୀ କରିଥିବା ବେଳେ ସେପଟେ ବିଦ୍ୟାଭାରତୀ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟି ଖୋଲିଛନ୍ତି ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ।

ପୋଲିସ ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ବି ଏଥିରେ ସନ୍ତୁଷ୍ଟ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ । ଡିଏଫଙ୍କୁ ବଦଳି ଦାବି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ପୋଲିସ ଡିଜିପି ଓ ପିସିସିଏଫଙ୍କୁ ଭେଟି ଦାବି କରିଥିଲେ ସୌମ୍ୟଙ୍କ ବାପା । ତେବେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପୁରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳେ ଏଯାଏଁ ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ବୋଲି ପ୍ରଶ୍ନ ଉଠୁଛି ।

ତେବେ ପ୍ରକୃତରେ ସୌମ୍ୟଙ୍କ ଦେହରେ କେମିତି ଲାଗିଲା ନିଆଁ ?
କିଏ କହୁଛି ସତ ?
କେଉଁଠାରେ ଘଟିଥିଲା ପୁରା ଘଟଣା ?
ହସ୍ପିଟାଲ ଯିବାବେଳେ ଅଧାବାଟରେ କାହିଁକି ଅଟକିଥିଲା ଆମ୍ବୁଲାନ୍ସ ?
ପାରଳାଖେମୁଣ୍ଡି ଏସିଏଫ୍ ମୃତ୍ୟୁ ପଛରେ ଥିଲା କି ଷଡଯନ୍ତ୍ର ?
କାଗଜରେ ନିଆଁ ଲଗାଉଥିବାବେଳେ ଶରୀରରେ ନିଆଁ ଲାଗିବା ଥିଓରୀ କେତେ ଯୁକ୍ତିଯୁକ୍ତ ?
ଏମିତି ଅନେକ ପ୍ରଶ୍ନ ଏବେବି ରହସ୍ୟ ଘେରରେ ରହିଛି ।