ରହସ୍ୟ ଘେରରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ପଢନ୍ତୁ, କଣ କହିଲେ ସୌମ୍ୟଙ୍କ ଭାଇ ଓ ମାଆ…

290

କନକ ବ୍ୟୁରୋ: ମୃତ ସୌମ୍ୟରଞ୍ଜନଙ୍କର ଅନ୍ୟ କୌଣସି ଝିଅଙ୍କ ସହ ସମ୍ପର୍କ ନଥିଲା । ଭାଇରାଲ ହେଉଥିବା ଅଡିଓକୁ ଏଡିଣ୍ଟିଂ କରାଯାଇଛି ବୋଲି ସୌମ୍ୟଙ୍କ ଭାଇ ଅଭିଯୋଗ କରିଛନ୍ତି । ଘଟଣାର ପ୍ରତ୍ୟକ୍ଷଦର୍ଶୀ ରୋଷେୟା, ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା ଓ ମାଆଙ୍କର ପଲିଗ୍ରାଫ ଟେଷ୍ଟ କଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ବିବାହର ୬ ମାସ ଯାଏଁ ସୌମ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ କୌଣସି ଶାରିରୀକ ସମ୍ପର୍କ ନଥିବା ବେଳେ ସୌମ୍ୟଙ୍କୁ ଘର ଲୋକଙ୍କ ସହ କଥା ହେବାକୁ ଦେଉନଥିଲେ ତାଙ୍କ ସ୍ତ୍ରୀ । ତେଣୁ ସେ ବାହାରକୁ ଗଲେ ଘର ଲୋକଙ୍କ ସହ କଥା ହେଉଥିଲେ । କେଉଁ ଝିଅ ସହ ସମ୍ପର୍କ ବାବଦରେ ଜାଣିବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ, ବରଂ ସୌମ୍ୟ ଘର ଲୋକଙ୍କ ସହ କଣ କଥା ହେଉଥିଲେ ତାହା ଜାଣିବା ପାଇଁ ବିଦ୍ୟା ଚେଷ୍ଟା କରୁଥିଲେ ବୋଲି ମୃତ ସୌମ୍ୟଙ୍କ ବଡ ଭାଇ ରଞ୍ଜନ କହିଛନ୍ତି ।

ଅନ୍ୟପଟେ ସୌମ୍ୟଙ୍କ ମାଆ କହିଛନ୍ତି,  ବର୍ଷେ ଯାଏଁ ସୌମ୍ୟଙ୍କ ସହ ଶାରିରୀକ ସଂପର୍କ ରଖିବେ ନାହିଁ ବୋଲି କହିଥିଲେ ବିଦ୍ୟାଭାରତୀ । ବର୍ଷେ ପରେ ମନ ବଦଳିଗଲେ ସମ୍ପର୍କ ରଖିବେ ବୋଲି କହିଥିଲେ । ଦିନେ ନୁହେଁ ଯେତେବେଳେ ତାଙ୍କୁ ତାଙ୍କ ପୁଅ ସୌମ୍ୟ ଫୋନ କରେ ସବୁ ବେଳେ ତାଙ୍କୁ କୁହେ, ମାଆ ଲୋ ମୋତେ ଫସେଇ ଦେଲେ, ମୁଁ ଆଉ ଏଠି ରହି ପାରିବି ନାହିଁ ।

ଖାଲି ସେତିକି ନୁହେଁ, ଭୁବନେଶ୍ୱରରୁ ଯିବା ପରେ ସୌମ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା, ବୋହୂ ସିନ୍ଦୁର ପୋଛି, ଶଙ୍ଖା ଭାଙ୍ଗି ଦେଇଥିଲେ, ରାତିରେ ଘର ଛାଡି ଚାଲି ଯାଇଥିଲେ ବୋଲି ସୌମ୍ୟଙ୍କ ମାଆ କହିଛନ୍ତି । ଏହାସହ ବହୁତ ଖୋଜା ଖୋଜି କରିବା ପରେ ଡିଏଫଓଙ୍କ ଘରେ ବିଦ୍ୟାଙ୍କୁ ପାଇଥିଲେ ସୌମ୍ୟ । ଏହାପର ଠାରୁ ବଦଳି ପାଇଁ ବାରମ୍ବାର ମାଆଙ୍କୁ କହୁଥିଲେ ସୌମ୍ୟ । ବାପାଙ୍କୁ କହି ମୋର ବଦଳି କରେଇ ଦେ’ ନହେଲେ ତୁ କିଛି ଦିନ ପାଇଁ ମୋ ପାଖକୁ ଆସେ ବୋଲି ସେ କହିଥିଲେ । ଶେଷ ଥର ପାଇଁ ଘରୁ ଗଲା ବେଳେ ସୌମ୍ୟ, ମାଆଙ୍କୁ କହିଥିଲେ, ବଦଳି ହୋଇଗଲେ ମୁଁ ତୋତେ ନେଇ ଯିବି । ଯାହାକୁ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି ସୌମ୍ୟଙ୍କ ମାଆ ।