ଓଡିଶା ପାଇଁ ୧୪,୫୨୩ କୋଟି ଟଙ୍କାର ପ୍ୟାକେଜ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ଯୋଜନାର କରିବେ ଶୁଭାରମ୍ଭ

434

କନକ ବ୍ୟୁରୋ : ପ୍ୟାକେଜ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ପ୍ୟାକେଜ ଘୋଷଣା ନେଇ ସୂଚନା ଦେଇଛନ୍ତି । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ୧୪ହଜାର ୫ଶହ ୨୩ କୋଟି ଟଙ୍କାର ପ୍ୟାକେଜ ନେଇ ଓଡିଶା ଆସୁଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ବହୁ ଗରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଆଇଆଇଟିର ନୂଆ କ୍ୟାମ୍ପସର ଲୋକାର୍ପଣ କରିବେ । ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବା ବେଳେ ମୋଦିଙ୍କ ଏହି ପ୍ୟାକେଜ ଘୋଷଣା ରାଜନୀତିକୁ ଆହୁରି ସରଗରମ କରିବ । ଆଉ ପ୍ରକଳ୍ପର ଲୋକାର୍ପଣ ପୁର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜନୀତି ବି ଜୋର ଧରିଛି । ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ ନରେନ୍ଦ୍ର ମୋଦି । ଏହି ମସୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ସେ ପରିବହନ,ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଶୁଭାରମ୍ଭ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରୋଜଗାର, ଆତ୍ମନିର୍ଭରଶୀଳତାର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ ଓଡିଶା ଆସୁଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଇର୍ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ସହ ଡାକଟିକେଟ ଓ ସ୍ମାରକୀ ମୁଦ୍ରାର ଶୁଭାରମ୍ଭ କରିବେ ବୋଲି ଜଣା ପଡିଛି । ଗତ ୪ବର୍ଷ ଭିତରେ ଓଡିଶା ପାଇଁ କେନ୍ଦ୍ର ସରକାର କଣ କରିଛନ୍ତି ତା’ର ହିସାବ ବି ରଖିପାରନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଥିବା ଇଏସଆଇ ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ୭୫ କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପର ଶୁଭାରମ୍ଭ କରିବେ । ଭୁବନେଶ୍ୱର କଟକ ଜାତୀୟ ରାଜପଥକୁ ୦୬ଲେନ ବିଶିଷ୍ଟ କରିବା ସହ କଟକ-ଅନୁଗୁଳ ରାସ୍ତାକୁ ୦୪ ଲେନ କରିବା ପାଇଁ ପ୍ରକଳ୍ପର ଶୁଭାରମ୍ଭ କରିବେ ନରେନ୍ଦ୍ର ମୋଦି ।

ପାଇକ ବିଦ୍ରୋହର ୨୦୦ ବର୍ଷ ପାଳନ ଉପଲକ୍ଷେ ଡାକଟିକଟ,ସ୍ମାରକୀ ମୁଦ୍ରା ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ୫କୋଟିର କର୍ପସ ପଣ୍ଡ ଘୋଷଣା କରିବେ ମୋଦି । ଏହା ସହ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ପାରଦୀପ-ହାଇଦ୍ରାବାଦ ଭିତରେ ପାଇପଲାଇନ କାମର ବି ଶୁଭାରମ୍ଭ କରିବେ ।