ଚିନା ବାଦାମ ଚାଷୀଙ୍କ ଚିନ୍ତା ବଢ଼ାଇଲା ମୌସୁମି ବର୍ଷା : ୨ ସପ୍ତାହ ହେଲା ମଣ୍ଡିରେ ପଡିଛି ବାଦାମ; ଏଫଏକ୍ୟୁ କଟକଣା ଦର୍ଶାଇ କିଣୁ ନାହାଁନ୍ତି ମଣ୍ଡି କର୍ତୁପକ୍ଷ

179

କନକ ବ୍ୟୁରୋ : ଚାଷୀଙ୍କ ଚିନ୍ତା ବଢେଇଛି ମୌସୁମି ବର୍ଷା । ଧାନ ପରେ ଏବେ ମଣ୍ଡିରେ ଚିନା ବାଦାମ ଆଣି ହଟହଟା ହେଉଛନ୍ତି ମାଲକାନଗିରି ଜିଲ୍ଲାର ଚାଷୀ । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସିଖପାଲି ମଣ୍ଡିରୁ । ଗତ ୨ ସପ୍ତାହ ଧରି ମଣ୍ଡିରେ ଚିନା ବାଦାମ ଆଣି ଗଦା କରିଛନ୍ତି ଚାଷୀ । ତେବେ ମଣ୍ଡିର ମାତ୍ରାଧିକ କଟକଣା ଯୋଗୁ ଅଧିକାଂଶ ଚାଷୀଙ୍କ ଚିନା ବାଦାମକୁ ବାତିଲ କରି ଦେଉଛନ୍ତି କର୍ତୃପକ୍ଷ ।

ସରକାରଙ୍କ ଏଫଏକ୍ୟୁ କଟକଣା ଏତେ ଯେ, ଅଧିକାଂଶ ଚାଷୀଙ୍କ ଚିନା ବାଦାମ ଏଫଏକ୍ୟୁ ମାନ ଛୁଇଁବା କଷ୍ଟକର । ତା ସାଙ୍ଗକୁ ବସ୍ତା ନାହିଁ, ଟାର୍ଗେଟ ନାହିଁ, ଅଧିକାରୀ ନାହାନ୍ତି ଏମିତି ଅନେକ କିଛି ସହିଲା ବେଳକୁ ମଣ୍ଡିରେ ହିଁ ଫସଲ ନଷ୍ଟ ହେଉଛି । ଚଳିତ ବର୍ଷ ଅଖାର ଅଭାବ ଦର୍ଶାଇ ଚାଷୀଙ୍କ କଷ୍ଟ ଉପାର୍ଜିତ ଚିନା ବାଦାମକୁ ମଣ୍ଡିର ପକାଇ ରଖିଛନ୍ତି କର୍ତୃପକ୍ଷ । ମଲାକନଗିରି ଜିଲ୍ଲା ଗୋରାଖୁଂଟା ପଂଚାୟତ ଅନ୍ତର୍ଗତ ପୋନାରଗୁଡା ଗାଁର ଯୁବ ଚାଷୀ କସା ମାଢୀ ଅଢେଇ ଏକର ଜମିରୁ ୧୬ କୁଂଟାଲ ବାଦାମ ଅମଳ କରିଛନ୍ତି ।

ସରକାରୀ ମଣ୍ଡିରେ ବାଦାମ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିଲେ । କିନ୍ତୁ ଦିର୍ଘ ଦିନ ଧରି ମଣ୍ଡିରୁ ବାଦାମ ଉଠି ପାରୁନ ଥିବାରୁ ଏବେ ବର୍ଷା ଦାଉରୁ ତାକୁ ରକ୍ଷା କରିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ସେହିପରି କୁର୍ଷିୱାଡା ଗାଁର ମହିଳା ଚାଷୀ ମଧ୍ୟ ୨୫ କ୍ୟୁଂଟାଲ ବାଦାମ ବିକ୍ରି କରିବା ପାଇଁ ମଣ୍ଡିକୁ ଆଣି ଥିବା ବେଳେ ତାହା ଏଫଏକ୍ୟୁ ମାନର ହେଉନଥିବାରୁ କିଣୁ ନାହାନ୍ତି ମିଲର୍ସ ।