ମ୍ୟାଚ୍ ପୂର୍ବରୁ ଆତଙ୍କବାଦୀ ଆକ୍ରମଣରେ ଥରିଲା ଲଣ୍ଡନ ! ପୃଥକ୍ ପୃଥକ୍ ଘଟଣାରେ ୬ ମୃତ, ୧୨ ଆହତ

27

କନକ ବ୍ୟୁରୋ : ଚାମ୍ପିୟନସ୍ ଟ୍ରଫିରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ଆତଙ୍କବାଦୀ ଆକ୍ରମଣରେ ଥରିଛି ଲଣ୍ଡନ । ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ବ୍ରିଜ୍ ନିକଟ ଏକ ରେସ୍ତୋରାରେ ଲୋକଙ୍କ ଉପରେ ଚାକୁରେ ଆକ୍ରମଣ ହୋଇଛି ।

ଗତକାଲି ରାତିରେ ଭାରତୀୟ ସମୟ ପ୍ରାୟ ୩ଟାରେ ଏହି ଆକ୍ରମଣ ହୋଇଛି । ଲଣ୍ଡନ ବ୍ରିଜରେ ପଦଚାରୀଙ୍କ ଉପରେ ମାଡିଯାଇଛି ଭ୍ୟାନ୍ ।  ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଭାବି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଘଟଣାସ୍ଥଳରେ ପହଂଚି ଲଣ୍ଡନ ବ୍ରିଜ୍ ଉପରେ ଗମନାଗମନକୁ ବନ୍ଦ କରିଦେଇଛି ।

ଶନିବାର ରାତିର ଏହି ଘଟଣାକୁ ଆତଙ୍କବାଦୀଙ୍କ କାମ ବୋଲି ପୋଲିସ କହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଦୁର୍ଘଟଣା ଘଟାଇବା ପରେ ଭ୍ୟାନରୁ ୩ଜଣ ବ୍ୟକ୍ତି ଲମ୍ବାଛୁରୀ ଧରି ବାହାରିଥିଲେ ଏବଂ ଲୋକମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଅନେକ ଲୋକ ଗୁରୁତର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭ୍ୟାନରେ ପ୍ରାୟ ୩ ଜଣ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିବା ପରେ ପୋଲିସ ସେମାନଙ୍କୁ ଧରିବା ଲାଗି ଛାନଭିନ୍ ଆରମ୍ଭ କରିଛି । ଏପରିକି ଗୁଳି ଫୁଟିବାର ଶବ୍ଦ ମଧ୍ୟ ଶୁଣିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିବା ବିବିସି କହିଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଲଣ୍ଡନ ବ୍ରିଜ୍ ବ୍ୟତୀତ ସହର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ପୋଲିସର ଗତିବିଧି ବଢିଛି । ତେବେ ଲଣ୍ଡନ ବ୍ରିଜ୍ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଭାବରେ ଦେଖାଯାଉଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିଛି ଆମେରିକା । ବ୍ରିଟେନକୁ ସମସ୍ତ ସହଯୋଗ ଦିଆଯିବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।