ଆଇନଜୀବୀଙ୍କ ଆନ୍ଦୋଳନ ନେଇ ତେଜୁଛି ରାଜନୀତି ! ଆଇନମନ୍ତ୍ରୀ କହିଲେ, ନିଆଁରେ ଘିଅ ଢାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ।

120

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନ ଦିନକୁ ଦିନ ଘନଉଥିବା ବେଳେ ଏବେ ଜୋର ଧରିଛି ରାଜନୀତି । ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଉପରେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ବିଜେପିକୁ ଦାୟୀ କରିବା ସହ ଏକ ରାଜନୈତିକ ଦଳ ଏହାକୁ ଫଣ୍ଡିଂ କରୁଥିବା ଅଭିଯୋଗ କରିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ଏଥିପାଇଁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଓକିଲ ଆନ୍ଦୋଳନକୁ ନେଇ ବାରମ୍ବାର ବିବୃତ୍ତି ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ତେବେ ଏହି ବିବାଦ ମାମଲାରେ ୪ ଜଣ ପୋଲିସ ନିଲମ୍ବିତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି । ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଚାଲିଛି । ମାମଲା ବିଚରାଧିନ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିବୃତ୍ତିରୁ କ୍ଷାନ୍ତ ରୁହନ୍ତୁ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏପରି କରି କେନ୍ଦ୍ରମନ୍ତ୍ରୀ ଆନ୍ଦୋଳନ ନିଆଁରେ ଘିଅ ଢାଳୁଛନ୍ତି ବୋଲି ସେ କହିବା ସହ ଓଳିଲଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଆଇନମନ୍ତ୍ରୀ ଅନୁରୋଧ କରିଛନ୍ତି ।