ସେଞ୍ଚୁରିଆନରେ ରାହୁଲଙ୍କ ଶତକ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବିଶାଳ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ଆଜି ୩ ୱିକେଟ୍ ୨୭୨ ରନରୁ ଖେଳ ଆରମ୍ଭ କରିବ ଭାରତ

117

କନକ ବ୍ୟୁରୋ : ସେଞ୍ଚୁରିଆନରେ ରାହୁଲଙ୍କ ଶତକ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଲୋକେଶ ରାହୁଲଙ୍କ ଅପରାଜିତ ଶତକ ବଳରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ । ଫଳରେ ବିଶାଳ ସ୍କୋର ଆଡକୁ ଅଗ୍ରସର ହେଉଛି ଭାରତ । ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି ରାହୁଲ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । ରାହୁଲ ଓ ମୟଙ୍କ ଅଗ୍ରୱାଲ ଇନିଂସ ଆରମ୍ଭ କରିଥିଲେ ।

ରବିବାର ବକ୍ସିଂ ଡେ’ ଟେଷ୍ଟ୍‌ର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନ୍‌ର ଅପରାଜିତ ପାଳି ଖେଳି ରାହୁଲ ଭାରତକୁ ଦୃଢ଼ ମୂଳଦୁଆ ପ୍ରଦାନ କରିଛନ୍ତି। ଭାରତ ପ୍ରଥମ ଦିନରେ ୩ ୱିକେଟ୍ ହରାଇ ୨୭୨ ରନ୍‌ ସଂଗ୍ରହ କରିଛି। ରାହୁଲ ଦିନ ତମାମ ବ୍ୟାଟିଂ କରି ଭାରତୀୟ କ୍ରିକେଟ୍‌ର ନବ ଉନ୍ମେଷ ତାରକା ପାଲଟିଛନ୍ତି । ସବୁଠାରୁ ବଡ଼ କଥା ହେଲା ଏହି ନବ ନିଯୁକ୍ତ ଉପ ଅଧିନାୟକ ରବିବାର ତାଙ୍କ ସପ୍ତମ ଟେଷ୍ଟ୍ ଶତକ ପୂର୍ଣ୍ଣ କରିଥିବାବେଳେ ଏଥିରୁ ବିଦେଶ ମାଟିରେ ୬ଟି ସାମିଲ ରହିଛି । ଏସିଆ ବାହାରେ ସର୍ବାଧିକ ଶତକ ହାସଲକାରୀ ତାଲିକାରେ ମଧ୍ୟ ରାହୁଲ ୫ କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର ୧୫ ଙ୍କ ତଳକୁ ଦ୍ବିତୀୟରେ ପହଞ୍ଚିଯାଇଛନ୍ତି । ରବିବାର ସେ ବୀରେନ୍ଦ୍ର ସେହବାଗଙ୍କୁ ୪  ଅତିକ୍ରମ କରିଥିଲେ ।

ବିନୁ ମଙ୍କଡ ଓ ରବି ଶାସ୍ତ୍ରୀ (ଉଭୟ ୩ ଲେଖାଏଁ ବିଦେଶ ଶତକ)ଙ୍କୁ ସେ ପୂର୍ବରୁ ପଛରେ ପକାଇସାରିଥିଲେ। ତିନି ପ୍ରମୁଖ କ୍ରିକେଟ୍ ଦେଶ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ରାହୁଲ ମଧ୍ୟ ସଇଦ୍ ଅନୱାର, କ୍ରିସ ଗେଲ୍‌ଙ୍କ ସମକକ୍ଷ ହୋଇଛନ୍ତି। ଏସିଆ ବାହାରେ ଏକ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ୨୭୨/୩ ସ୍କୋର୍‌ କରିବା ଭାରତ ପାଇଁ ତୃତୀୟ ସର୍ବୋଚ୍ଚ। ୨୦୦୧-୦୨ରେ ବ୍ଲୋଏମ୍ଫଟନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୭୨/୭ ଏବଂ ୨୦୧୬ରେ ନର୍ଥସାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ୩୦୨/୪ ଏ ପର୍ଯ୍ୟନ୍ତ ପ୍ରଥମ ଦିନରେ ସର୍ବାଧିକ ବିଦେଶ ମାଟି ସ୍କୋର୍‌ ଥିଲା।

ରାହୁଲ ରବିବାର ପ୍ରଥମ ୱିକେଟ୍‌ ପାଇଁ ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ୧୧୭ ରନ୍‌ ଉଠାଇଥିଲେ । ଲଗାତାର ବଲରେ କିନ୍ତୁ ମୟଙ୍କ ଏବଂ ପୂଜାରାଙ୍କୁ ଏନ୍‌ଗିଡି ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାବର୍ତନ ସ‌ୁଯୋଗ ଦେଇଥିଲେ। ଚାପରେ ଥିବା ପୂଜାରା ପ୍ରଥମ ବଲରେ ଆଉଟ୍ ହୋଇ ପୁଣି ନିରାଶା ଭିତରେ ରହିଲେ । ଅଧିନାୟକ ବିରାଟ କୋହଲି ଜମିଯିବା ପରେ ମଧ୍ୟ ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ । ଏନ୍‌ଗିଡିଙ୍କ ଅଫଷ୍ଟମ୍ପ୍‌ ବାହାର ବଲକୁ ପିଛା କରି ସ୍ଲିପ୍‌ରେ ଧରାପଡ଼ିଥିଲେ। ମୟଙ୍କ (୬୦, ୧୨୩ ବଲ୍‌, ୯ ଚୌକା)ଙ୍କ ସହ ଶତକୀୟ ଭାଗୀଦାରି ଗଢ଼ିବା ପରେ ରାହୁଲ ମଧ୍ୟ ବିରାଟ କୋହଲି (୩୫, ୯୪ ବଲ୍, ୪ ଚୌକା) ଏବଂ ଅଜିଙ୍କ୍ୟ ରାହାଣେ (୪୦*, ୮୧ ବଲ୍‌, ୮ ଚୌକା)ଙ୍କ ସହ ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ପ୍ରତିଷ୍ଠା କରି ପ୍ରଥମ ଦିନର ସମ୍ମାନକୁ ଭାରତ ସପକ୍ଷରେ ରଖିଥିଲେ ।

ରାହୁଲ-ମୟଙ୍କ ମଧ୍ୟ ୨୦୧୦ ମସିହା ପରେ ଦକ୍ଷଣ ଆଫ୍ରିକାରେ ଭାରତ ପାଇଁ ପ୍ରଥମ ଶତକୀୟ ଭାଗୀଦାରି କରିଥିଲେ। ସେଞ୍ଚୁରିଅନ୍‌ର ସୁପରସ୍ପୋର୍ଟ ପାର୍କ ଫ୍ଲାଟ ଟ୍ରାକ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କେବଳ ଏନ୍‌ଗିଡି (୩/୪୫) ହିଁ ୱିକେଟ୍ ଦଖଲ କରିଥିଲେ। ବିରାଟ କୋହଲିଙ୍କୁ ମଧ୍ୟ ତୃତୀୟ ଥର ସେ ଆଉଟ୍‌ କରିଥିଲେ। ଆଜି ୩ ୱିକେଟ୍ ୨୭୨ ରନରୁ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।