ବିବାଦ ପରେ ବଦଳିବ ଅଭିନେତ୍ରୀ ସନ୍ନି ଲିଓନିଙ୍କ ‘ମଧୁବନ’ ଗୀତ : ଗୀତ ହଟାଇବା ନେଇ ସାରେଗାମାପା ପକ୍ଷରୁ ବିବୃତି ଜାରି କରି ଦିଆଗଲା ସୂଚନା

 ତିନି ଦିନ ମଧ୍ୟରେ ଗୀତ ନହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

431

କନକ ବ୍ୟୁରୋ : ବଦଳିବ ବିବାଦରେ ଥିବା ଅଭିନେତ୍ରୀ ସନ୍ନି ଲିଓନିଙ୍କ ‘ମଧୁବନ’ ଗୀତ । ଲିରିକ୍ସ ପରିବର୍ତନ କରାଯିବ ବୋଲି କହିଛି ମ୍ୟୁଜିକ୍ ଲେବଲ ସାରେଗାମାପା । ଏକ ବିବୃତି ଜାରି କରି ଗୀତକୁ ହଟାଇ ଦିଆଯିବ ବୋଲି ସାରେଗାମାପା ପକ୍ଷରୁ କୁହାଯାଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ତିନି ଦିନ ଭିତରେ ସୋସିଆଲ ମିଡିଆରୁ ଗୀତକୁ ହଟାଇବାକୁ କହିଥିଲେ । ନହେଲେ ସନ୍ନି ଲିଓନି ଓ ଶାକିବ ତୋଶୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ । ଏହା ପରେ ସାରେଗାମାପା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ୍, ଶରିବ, ତୋଷୀ ଏବଂ କନିକା କପୁରଙ୍କ ନୂଆ ଗୀତ ମଧୁବାନ୍ ମେଁ ରାଧିକା ନାଚେ, ଜଙ୍ଗଲ ମେଁ ନାଚେ ଜେସା ମୋର୍, ସାୱାରିଆ ମୋରେ … ସାୱାରିଆ ତୁ ମେରେ ଦିଲ୍ କା ଚୋର’ ଗୀତକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗଣମାଧ୍ୟମକୁ ଏକ ବିବୃତ୍ତି ଦେଇଛନ୍ତି ଯେ ସନ୍ନି ଲିଓନ, ଶରିବ, ତୋଷୀ ତିନି ଦିନ ମଧ୍ୟରେ ୟୁଟ୍ୟୁବରୁ ଏହି ଗୀତ ହଟାଇବା ଉଚିତ । ସମସ୍ତଙ୍କୁ ଚେତାବନୀ ଦିଆଯାଇଥିଅବେଳେ ଯଦି ଏପରି ନ ହୁଏ ତେବେ ରାଜ୍ୟ ସରକାର ପଦକ୍ଷେପ ନେବେ ।

ସୂଚନାଯୋଗ୍ୟ ଯେ, ସନ୍ନି ଲିଓନଙ୍କୁ ନେଇ ଏହି ଗୀତ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି । ସନ୍ନି ଲିଓନିଙ୍କ ‘ମଧୁବନ ମେ ରାଧିକା ନାଚେ’ ଗୀତ ଗତ ୨୨ ତାରିଖରେ ରିଲିଜ୍ ହୋଇଥିଲା । ଏହି ଗୀତକୁ ଗାଇଛନ୍ତି କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ । ଗୀତ ରିଲିଜ୍ ହେବା ପରଠାରୁ ବିବାଦରେ ରହିଥିଲା । ଯଦିଓ ଏହି ଗୀତକୁ ପ୍ରାୟ ୯୫ ଲକ୍ଷ ଲୋକ ଦେଖିଛନ୍ତି, ବହୁ ସଂଖ୍ୟକ ଲୋକ ଏହାକୁ ନାପସନ୍ଦ କରିଛନ୍ତି ।