ଫୁଲ ଖାଇଯାଉଛି ପୋକ । ଅମଳ ଆଗରୁ ଚିନା ବାଦାମ ବିଲରେ ଆତଙ୍କ ସୃଷ୍ଟି କରିଛି ରୋଗ ପୋକ ।

68

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ହୋଇଛି କାଳମୁଣ୍ଡି ପୋକ । ଖାଇ ସଫା କରିଦଉଛି ସୁନାର ଫସଲ । ଦିନ କେଇ ଟାରେ ଅମଳ ହୋଇଥାନ୍ତା ଚିନା ବାଦାମ । ହେଲେ ଅମଳ ଆଗରୁ ଫସଲରେ କାଳମୁଣ୍ଡି ପୋକ ଲାଗିବାରୁ ଗଛ ସବୁ ନଷ୍ଟ ହୋଇଗଲାଣି । ଚାଷି ଫସଲ ବଂଚାଇବା ପାଇଁ କିଟନାଶକ ପ୍ରୟୋଗ କଲେ ବି କିଛି ଲାଭ ମିଳୁନାହିଁ । ଶହ ଶହ ଏକର ଜମିର ବାଦାମ ଫସଲ ନଷ୍ଟ ହୋଇଯିବା ଦେଖି ହତାସ ହୋଇପଡିଛନ୍ତି ଚାଷି ।

ବାଦାମ କିଆରି ଚରି ଯାଉଛି କାଳମୁଣ୍ଡି ପୋକ । ଅମଳର ଦିନ କେଇଟା ଆଗରୁ ଫସଲ ଉଜାଡି ଦେଇଛି ରୋଗ ପୋକ । କେନ୍ଦ୍ରାପଡା ଗରଦପୁର ବ୍ଲକ ପାଖଡ ଏବଂ ଗରଦପୁର ପଂଚାୟତରେ ବାଦାମ ଚାଷୀଙ୍କ ନିଦ ହଜେଇ ଦେଇଛି ପୋକ । ୮୨ ଟଙ୍କାରେ ବାଦାମ ବିହନ କିଣି ଚାଷ କରିଛନ୍ତି ଚାଷୀ । ଆଉ ଏବେ ଗଛରେ ଫୁଲ ଧରିବା ବେଳେ କାଳମୁଣ୍ଡି ପୋକ ଲାଗି ଫସଲ ଖାଇ ଯାଉଛନ୍ତି ।

ପାଖଡ ଏବଂ ଗରଦପୁର ପଂଚାୟତର ପେଟୁଆ ପାଟରେ ପ୍ରାୟ ୭୦୦ ଏକର ଜମିରେ ଚିନା ବାଦାମ ଚାଷ କରାଯାଇଛି । ଏହାସହ କିଛି ଚାଷ ରବି ଋତୁରେ ମୁଗ ବିରି ଫସଲ ମଧ୍ୟ କରିଛନ୍ତି । ତାକୁ ବି ଖାଇ ସଫା କରିଦେଇଛନ୍ତି କାଳମୁଣ୍ଡି ପୋକ । ପୋକ ଦିନ ବେଳା ମାଟିତଳକୁ ଚାଲିଯାଉଥିବା ପୋକ ସଂଧ୍ୟା ହେଲେ ଫସଲ ଚରି ଯାଉଛନ୍ତି । ରୋଗ ପୋକକୁ ଦମ କରିବା ପାଇଁ ଚାଷି କିଟନାଶକ ସିଂଚନ କଲେ ବି କିଛି ଲାଭ ହେଉନାହିଁ ।

କାଳମୁଣ୍ଡି ପୋକର ଦମନ ପାଇଁ କୃଷି ବିଭାଗ ଚାଷୀଙ୍କୁ କିଟନାଶକ ଯୋଗାଇ ଦେବା ସହ କ୍ଷତିଗ୍ରସ୍ତ ଚାଷିମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।