ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡିରେ ବନ୍ୟା ପରିସ୍ଥିତି : ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ

423

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ବର୍ଷା ପାଣି ରାସ୍ତା ଧୋଇ ନେବାରୁ ଜିଲ୍ଲାର ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ପାଣିପାଗ ବିଭାଗର ରେଡ୍‌ ୱାର୍ଣ୍ଣିଂ ଜୋନରେ ଥିବାରୁ ଆହୁରି ବର୍ଷା ବଢ଼ିବାର ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଥୁଆମୂଳ ରାମପୁର ବ୍ଲକର ୫୨ଟି ଗାଁ ଓ ଲାଞ୍ଜିଗଡ଼ ବ୍ଲକର ୨୧୨ଟି ଗାଁ ପ୍ରଭାବିତ ହୋଇଛି । ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍‌ ଖୋଲା ଯାଇଥିବା ବେଳେ ମଙ୍ଗଲପୁର ବ୍ୟାରେଜରେ ୧୩୪ କ୍ୟୁମେକ୍ସ ବନ୍ୟାଜଳ ଛଡ଼ାଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀମାନଙ୍କ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାଧରି ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଆଜି ସକାଳ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ହାରାହାରି ୧୦୯.୪ ମିମି ବର୍ଷା ରେକର୍ଡ଼ ହୋଇଛି । ଲାଞ୍ଜିଗଡ଼ରେ ସର୍ବାଧିକ ୩୮୨.୬ ମିମି ବର୍ଷା ହୋଇଥିବାବେଳେ ଭବାନୀପାଟଣାରେ ୬୫ ମିମି, କେସିଙ୍ଗାରେ ୫୫, କର୍ଲାମୁଣ୍ଡାରେ ୮୭, ମଦନପୁର ରାମପୁରରେ ୧୬୭, ନର୍ଲାରେ ୧୧୦, , ଥୁଆମୂଳ ରାମପୁରରେ ୨୦, ଧର୍ମଗଡ଼ରେ ୨୦.୨, ଜୁନାଗଡ଼ରେ ୪୨, କଲମପୁରରେ ୧୦୭.୩, ଜୟପାଟଣାରେ ୧୩୫, କୋକସରାରେ ୩୭.୭, ଗୋଲାମୁଣ୍ଡା ବ୍ଲକରେ ୧୪.୬ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୩ଟି ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବ୍ଲକ ମଧ୍ୟରେ ଲାଞ୍ଜିଗଡ଼ ରହିଛି । ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

 

ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର କେରପାଇ, ସିଲେଟ, ନାକରୁଣ୍ଡି, ତଲଝାପି, କିଆପଦର ପଞ୍ଚାୟତର ୬୨ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ୬୭ଟି ଘର ଆଂଶିକ ଭାବେ ଭାଙ୍ଗିଛି । କାଚଲେଖାଠାରୁ କେରପାଇ ରାସ୍ତା ଓ ସାଇସୁରନିଠାରୁ ନାକରୁଣ୍ଡି ରାସ୍ତା ବର୍ଷା ଯୋଗୁଁ ବିଚ୍ଛିନ୍ନ ହୋଇଛି । ଲାଞ୍ଜିଗଡ଼ ବ୍ଲକ୍‌ର ମାଲିଯୁବାଙ୍ଗ, କାନକୁଟ୍ରୁ, ଲାଞ୍ଜିଗଡ଼ ରୋଡ, ଲାଞ୍ଜି, ଭୁର୍ତ୍ତିଗଡ଼, ଚମ୍ପାଦେଇପୁର, ଲାଞ୍ଜିଗଡ, ଛତ୍ରପୁର, ବିଶ୍ବନାଥପୁର, କମର୍ଦ୍ଧା, ବାତେରଲିମା ସମେତ ୧୧ଟି ପଞ୍ଚାୟତର ୨୧୨ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ସେହିଭଳି ୩୧୩ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଜଣାପଡ଼ିଛି ।

ବଂଶଧାରା ନଦୀ ଜଳ ପ୍ରବାହ ଯୋଗୁଁ ବାତଲିମା- ଛତ୍ରପୁର ବ୍ରିଜ ପାର୍ଶ୍ବ ଧୋଇ ଯିବାରୁ ଯୋଗାଯୋଗ ବ୍ୟାହତ ରହିଛି । ଏହାଛଡ଼ା ଥୁଆମୂଳ ରାମପୁର କେରପାଇ ଆରଡି ରୋଡରେ ପାଣି ପ୍ରବାହ ଯୋଗୁଁ କାଶୀପୁର–ଥୁଆମୂଳ ରାମପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲାଞ୍ଜିଗଡ଼ ବ୍ଲକର ତଳି ଅଂଚଳ ଚମ୍ପାଦେଇପୁର, ବନ୍ଦଗୁଡା, କଂଶାରୀ, କପାଗୁଡା  ପାଣି ଘେରରେ ରହିଛି । ଲାଞ୍ଜିଗଡ଼ ବେଦାନ୍ତ ରିଫାଇନାରି ପରିସରରେ ୩ ଫୁଟ ପାଣି ପଶିଛି । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୨୦ ହଜାର ୧୮ ଜଣ ‌ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଜିଲ୍ଲା ଜରୁରିକାଳୀନ ଅଧିକାରୀ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସୂତ୍ରରୁ ଜଣାପଡ଼ିଛି ।