ଟ୍ରମ୍ପ ଯିବେ, ବାଇଡେନ୍ ଆସିବେ । ନୂଆ ରାଷ୍ଟ୍ରପତି ଅପେକ୍ଷାରେ ଆମେରିକା । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ୍ ଓ କମଳା ହାରିସ୍ ।

150

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ-ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାର ପ୍ରଥମ କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେବେ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ କିଛିଟା ଭିନ୍ନ ହେବାକୁ ଯାଉଛି । ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ ରାଜଧାନୀ ୱାସିଂଟନ ଡିସିରେ ୨୫ ହଜାର ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି ।

ନିର୍ବାଚନରେ ହିଂସାର ରକ୍ତଛିଟା ଲାଗିବା ପରେ ଆଜି ଆମେରିକାରେ ଶେଷ ହୋଇଛି ଟ୍ରମ୍ପଙ୍କ ଯୁଗ, ଆଉ ଆରମ୍ଭ ହେବାକୁ ଯାଉଛି ଡେମୋକ୍ରାଟ ଜୋ ବାଇଡେନଙ୍କ ଶାସନ । ଜାନୁଆରି ୬ ତାରିଖରେ କ୍ୟାପିଟଲ ହିଲ୍ ଆକ୍ରମଣକୁ ପଛରେ ପକାଇ ଆଗକୁ ବଢ଼ିବ ଆମେରିକା । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋସେଫ୍ ବାଇଡେନ୍ । ୫୯ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଭାରତୀୟ ବଂଶଜ କମଳା ହାରିସ୍ । ଏଥିପାଇଁ ସଜେଇ ହୋଇଛି କ୍ୟାପିଟଲ ହିଲ୍ । ସୁରକ୍ଷା ବଳୟ ଭିତରେ ରହିଛି ପୂରା ୱାଶିଂଟନ୍ ଡିସି ।

ନଜର ପକାନ୍ତୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଉପରେ : 
*ଆମେରିକା ସମୟ ପୂର୍ବାହ୍ନ ୧୦ଟା ଅର୍ଥାତ୍ ଭାରତୀୟ ସମୟ ରାତି ୮ଟା ୩୦ରେ ‘ପ୍ରେସିଡେନ୍ସିଆଲ୍ ଇନାଗୁରାଲ କମିଟି’ର ଲାଇଭ୍ ଷ୍ଟ୍ରିମିଂ
*ପୂର୍ବାହ୍ନ ୧୧ଟା ୩୦ ଅର୍ଥାତ ଭାରତୀୟ ସମୟ ରାତି ପ୍ରାୟ ୧୦ଟାରେ ଜାତୀୟ ସଙ୍ଗୀତ ସହ ଶପଥଗ୍ରହଣ ଉତ୍ସବ
*ଉପରାଷ୍ଟ୍ରପତି ଭାବେ କମଳା ହାରିସଙ୍କୁ ଶପଥପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି
*ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶପଥପାଠ କରାଇବେ ପ୍ରଧାନ ବିଚାରପତି
*ଶପଥ ଗ୍ରହଣ ପରେ ଦେଶବାସୀଙ୍କ ଉଦବୋଧନ ଦେବେ ବାଇଡେନ୍

ବିବାଦ ଭିତରେ ହୋଇଥିବା ଆମେରିକା ନିର୍ବାଚନ ଉପରେ ସାରା ବିଶ୍ୱ ନଜର ରଖିଛି । କାରଣ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ଶେଷ ପର୍ଯ୍ୟନ୍ତ ସ୍ୱୀକାର କରିନଥିଲେ । ଅନ୍ୟପଟେ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ଆଭିମୁଖ୍ୟ ମଧ୍ୟ ବିଶ୍ୱରେ ଆମେରିକାର ଏକ ଭିନ୍ନ ଛବି ସୃଷ୍ଟି କରିଥିଲା । ସୂଚନା ମିଳିଛି, ଟ୍ରମ୍ପ ପ୍ରଶାସନର କିଛି ବିବାଦୀୟ ନିଷ୍ପତିକୁ ପ୍ରଥମ ଦିନରେ ହିଁ ବଦଳାଇବାକୁ ଚାହୁଁଛନ୍ତି ବାଇଡେନ୍ ।

ବଦଳିବ ଟ୍ରମ୍ପଙ୍କ ବିବାଦୀୟ ନିଷ୍ପତି :
*ଶପଥ ନେବା ପରେ ପରେ ୧୨ରୁ ଅଧିକ ଆଦେଶରେ ହସ୍ତାକ୍ଷର କରିବେ ବାଇଡେନ୍
*ପ୍ରଥମ ଦିନରେ ପ୍ୟାରିସ ଜଳବାୟୁ ବୁଝାମଣାରେ ଆମେରିକା ପୁନଃ ସାମିଲ ପାଇଁ ଆଇନ ଆସିବ
*ଟ୍ରମ୍ପ ପ୍ରଶାସନ ଦ୍ୱାରା ୭ଟି ଇସଲାମିକ ରାଷ୍ଟ୍ର ଉପରେ ଲଗାଯାଇଥିବା ପ୍ରବେଶ ପ୍ରତିବନ୍ଧକକୁ ହଟାଇଦେବେ ବାଇଡେନ୍
*ଅର୍ଥନୀତିରେ ସୁଧାର ପାଇଁ ୧.୯ ଟ୍ରିଲିୟନ ଡଲାର ପୁଞ୍ଜି ବିନିଯୋଗ ଭଳି ଯୋଜନା କରାଯାଇଛି

ଜୋ ବାଇଡେନ୍ ଏବଂ କମଳା ହାରିସଙ୍କ ଶାସନ କାଳରେ ଆମେରିକା, ଭାରତ ସହ କିଭଳି ସଂପର୍କ ରଖିବ, ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଶେଷଜ୍ଞଙ୍କ ମତ ହେଉଛି, ଶାସନ ବଦଳିଲେ ମଧ୍ୟ ଭାରତ ସହ ଆମେରିକାର ସଂପର୍କ ପୂର୍ବଭଳି ଅତୁଟ ରହିବ ।

ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବେଳେ ବାଇଡେନ୍ ପ୍ରଶାସନରେ ୨୦ ଭାରତୀୟ ଆମେରିକୀୟଙ୍କୁ ଗୁରୁଦାୟିତ୍ୱ ମିଳିବ । ଡକ୍ଟର ବିବେକ ମୂର୍ତ୍ତି, ଆମେରିକାର ସର୍ଜନ ଜେନେରାଲ ଭାବେ ମନୋନୀତ ହୋଇଛନ୍ତି । ବନିତା ଗୁପ୍ତା, ଆଇନ ବିଭାଗର ସହଯୋଗୀ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହୋଇଥିବା ବେଳେ କେବଳ ହ୍ୱାଇଟ୍ ହାଉସରେ ୧୭ ଜଣଙ୍କୁ ମିଳିସାରିଛି ନିଯୁକ୍ତି । ଆମେରିକା ଜାତୀୟ ସୁରକ୍ଷା ପରିଷଦରେ ରହିଛନ୍ତି ୩ ଜଣ ଭାରତୀୟ-ଆମେରିକୀୟ ।

ଭିସା ନିୟମ କୋହଳ କରିପାରନ୍ତି ବାଇଡେନ୍ । ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ଫାଇଦା । ଭିସା ନିୟମକୁ କୋହଳ କରିବା ପାଇଁ ପୂର୍ବରୁ କହି ଆସିଛନ୍ତି ବାଇଡେନ୍ । ତେଣୁ ଆଶା କରାଯାଉଛି ଏଚ୍-୧ (ବି) ଭିସା ନିୟମରେ ସୁଧାର ଆସିବ । ଭିସା ନିୟମ କୋହଳ ହେଲେ ପ୍ରବାସୀ ଭାରତୀୟଙ୍କୁ ଫାଇଦା ମିଳିବ । ଇଚ୍ଛା ମୁତାବକ ପରିବର୍ତ୍ତନ କରିହେବ ଚାକିରି । ଆମେରିକାରେ ୧ କୋଟିରୁ ଅଧିକ ପ୍ରବାସୀଙ୍କ ରହଣୀକୁ ଆଇନସିଦ୍ଧ କରାଯାଇପାରେ । ଏମାନଙ୍କ ଭିତରେ ଅଛନ୍ତି ପ୍ରାୟ ୫ ଲକ୍ଷ ପ୍ରବାସୀ ଭାରତୀୟ ।