ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିତିଥିବା ଦୁଇଜଣ ନ୍ୟୁଜମେକର । ନିଜ କାମ ଆଉ କଥା ବଳରେ ଯିଏ ହୋଇଥିଲେ ଚର୍ଚ୍ଚିତ ।

ଚା ବିକି ଉପାର୍ଜନ କରୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ପାଠ ପଢାଉଥିବା ଡି. ପ୍ରକାଶ ରାଓ ଏବଂ ମହିଳା ସଶକ୍ତୀକରଣର ବାର୍ତ୍ତା ବହନ କରୁଥିବା ଜୟନ୍ତୀ ଏକ୍କା ସାମାଜିକ କ୍ଷେତ୍ରରେ ବନିଥିଲେ ଚର୍ଚ୍ଚିତ ଚେହେରା ଆଉ ନ୍ୟୁଜ ମେକର ।

145

ସାମାଜିକ କ୍ଷେତ୍ରରେ ଦୁଇ ଜଣଙ୍କୁ ନେଇ ବେଶ ଅଧିକ ଚର୍ଚ୍ଚା ହୋଇଥିଲା । ଯାହାଙ୍କ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଆଉ ଯାହାଙ୍କ ଭାଷଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘଂଟାଏରୁ ଅଧିକ ସମୟ ଧରି ଷ୍ଟେଜ ଉପରେ ବାନ୍ଧି ରଖିଥିଲା । ଚା ବିକି ଉପାର୍ଜନ କରୁଥିବା ଅର୍ଥରେ ବସ୍ତି ପିଲାଙ୍କୁ ପାଠ ପଢାଉଥିବା ଡି. ପ୍ରକାଶ ରାଓ ଏବଂ ମହିଳା ସଶକ୍ତୀକରଣର ବାର୍ତ୍ତା ବହନ କରୁଥିବା ଜୟନ୍ତୀ ଏକ୍କା ସାମାଜିକ କ୍ଷେତ୍ରରେ ବନିଥିଲେ ଚର୍ଚ୍ଚିତ ଚେହେରା ଆଉ ନ୍ୟୁଜ ମେକର ।

ଚତୁର୍ଥ ପାଳି ପୂରଣ କରିବା ଅବସରରେ ଯେତେବେଳେ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଡି. ପ୍ରକାଶ ରାଓଙ୍କୁ ଭେଟିବା ସହ ତାଙ୍କ କାର୍ଯ୍ୟକୁ ଢେର ପ୍ରଶଂସା ମଧ୍ୟ କରିଥିଲେ । ଏପରିକି ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ । କିଭଳି ପିଏମଓରୁ ତାଙ୍କୁ ଫୋନ୍ ଆସିଥିଲା, ଆଉ ପ୍ରଧାନମନ୍ତ୍ରୀ ତାଙ୍କ ବାବଦରେ କିଭଳି ସବୁ ଖବର ରଖିଥିଲେ, ତାହା ଆଶ୍ଚର୍ଯ୍ୟ କରିଥିଲା ବୋଲି କହିଛନ୍ତି ଡି. ପ୍ରକାଶ ରାଓ ।

ସେହିଭଳି ନିଜ ସ୍ୱପ୍ନ ଆଉ ସମ୍ଭାବନାର କଥାକୁ ବି ନ୍ୟୁଜ ମେକର ୨୦୧୮ କାର୍ଯ୍ୟକ୍ରମରେ କହିଛନ୍ତି ଜୟନ୍ତୀ ଏକ୍କା । ମେକ ଇନ ଓଡିଶା କାର୍ଯ୍ୟକ୍ରମ ସମୟରେ ମହିଳା ସଶକ୍ତୀକରଣର ବାର୍ତ୍ତାକୁ ଯେତେବେଳେ ସମସ୍ତଙ୍କ ସାମ୍ନାରେ ଜୟନ୍ତୀ ରଖୁଥିଲେ ତାହା ସମସ୍ତଙ୍କ ହୃଦୟ ଜିତିଥିଲା । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଠିଆ ହୋଇ ତାଳି ମାରୁଥିଲେ । ସେ ନିଜ ଅଭିଭାଷଣ ରଖିବା ସମୟରେ ବିଶେଷ କିଛି ଭାବୁନଥିଲେ ବରଂ ଯାହା କିଛି ମନକୁ ଆସୁଥିଲା ତାକୁ ପରିପ୍ରକାଶ କରୁଥିଲେ ।

ଆଗାମୀ ଦିନରେ ସେ ଆଉ ତାଙ୍କ ସହଯୋଗୀ ବିମାନରେ ଉଡିବାର ସ୍ୱପ୍ନ ଦେଖୁଥିବା କହିଛନ୍ତି ଜୟନ୍ତୀ ଏକ୍କା । ଏପରିକି ସୁନ୍ଦରଗଡରୁ ଭୁବନେଶ୍ୱର ଏକ ବସ ଚଲାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ରାଜନୀତିର ପ୍ରଶ୍ନ ଉପରେ ବେଶ ମାପିଚୁପି ବୟାନ ରଖିଥିଲେ ଜୟନ୍ତୀ ଏକ୍କା । ତେବେ ଡରିବା ବଦଳରେ କାମ କରି ଚାଲିବାକୁ ସେ ସମସ୍ତଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ ।