ହନୁମାନଙ୍କୁ ଚିଠି ! ତିନି ଯୁବକଙ୍କୁ ଏକାଥରକେ ପ୍ରେମ କରି ଦ୍ୱନ୍ଦ୍ୱରେ ପଡିଲେ ପ୍ରେମିକା

170

ଜଗତସିଂହପୁର : ପ୍ରେମ ହେଉ ହେଉ ହେଇଗଲା ତିନି ଜଣକୁ । ଏବେ ପ୍ରେମିକା ଟେନସନରେ । କାହାକୁ କରିବେ ନିଜ ଜୀବନସାଥୀ । ନିଷ୍ପତି ନେବାରେ ଅସମର୍ଥ ହେବା ପରେ ଏବେ ଚିଠି ଲେଖିଛନ୍ତି ସଂକଟମୋଚନ ହନୁମାନଙ୍କୁ । ଏମିତି ଏକ ଘଟଣା ଘଟିଛି ଜଗତସିଂହପୁର ନିକଟ ପୁନଙ୍ଗ ଗାଁରେ । ରୁମାଲରେ ବନ୍ଧା ଏକ ଚିଠି ମନ୍ଦିର ପୂଜକ ପାଇବା ପରେ ସାରା ଅଂଚଳରେ କୌତୁହଳ ସୃଷ୍ଟି ହୋଇଛି ।

କୁହାଯାଏ ମଣିଷ ସଂକଟରେ ପଡିଲେ ଖୋଜିଥାଏ ତା ପ୍ରିୟ ଠାକୁରଙ୍କୁ । ବିଶ୍ୱାସ ରହିଛି ସଂକଟମୋଚନ ହେଉଛନ୍ତି ହନୁମାନ । ତେଣୁ କେତେକଣ ଆଶା ନେଇ ମନ୍ଦିରକୁ ଆସିଥାଏ ଭକ୍ତ । ହେଲେ ଦ୍ୱନ୍ଦରେ ଥିବା ଏହି ପ୍ରେମିକା କିନ୍ତୁ ବଜରଙ୍ଗୀଙ୍କୁ ସାମ୍ନା କରିବାକୁ ସାହାସ କରି ପାରିନାହାନ୍ତି । ତେଣୁ ଜୀବନର ଅନ୍ତରଙ୍ଗ କଥାକୁ ଚିଠିରେ ଉତାରି ହନୁମାନଙ୍କ ପାଖକୁ ପଠାଇଛନ୍ତି ।

ଚିଠିରେ ରହିଛି ମନ ଦିଆନିଆର କଥା । ଯୁବତୀଜଣକ ତିନି ଯୁବକଙ୍କ ସହ ପ୍ରେମ ସଂପର୍କରେ ବାନ୍ଧି ହୋଇ ଯାଇଛନ୍ତି । ସେମାନେ ହେଲେ ଅନୀଲ୍, ଲିପୁ ଓ ରାଜା । ଏବେ ସେ ଭାବୁଛନ୍ତି ଅନୀଲଙ୍କୁ ନିଜ ଜୀବନସାଥୀ ଭାବରେ ବାଛିବେ । ହେଲେ ଅନ୍ୟ ପ୍ରେମିକଙ୍କୁ କଣ କହି ଭୂଲାଇଦେବେ । ସେ ଚିନ୍ତା ଘାରିଛି ପ୍ରେମିକାର ମନକୁ । କାରଣ ସେ ବୁଝିଛନ୍ତି ପ୍ରେମକୁ ଭୁଲିଯିବା ପାପ । ଏଭଳି ପରିସ୍ଥିତିରେ ସେ ଶରଣ ପଶିଛନ୍ତି ସଂକଟମୋଚନଙ୍କ ନିକଟରେ । ତେବେ ରାମଭକ୍ତ ହନୁମାନ କଣ ଏ ପ୍ରେମିକାକୁ ଦେଇ ପାରିବେ ସଠିକ ପରାମର୍ଶ ।

ବାରଙ୍ଗ ହନୁମାନ ମନ୍ଦିରଠାରୁ ଡାକ ବାଟରେ ରହିଛି ଏକ କଲେଜ୍ । ତେଣୁ ଅନୁମାନ କରାଯାଉଛି ଏହା ନିଶ୍ଚୟ ଭାବେ ଜଣେ କଲେଜ୍ ଛାତ୍ରୀଙ୍କ ଚିଠି ହୋଇଥିବ ।