ଭକ୍ତ ଓ ଭଗବାନର ଡୋର ! ମହାପ୍ରଭୁଙ୍କ ଫୁଲମାଳର ଦାମ ୫ ଶହକୁ ୧୦ ହଜାର ଟଙ୍କା

239

କନକ ବ୍ୟୁରୋ : ଚଢା ଦରରେ ବିକ୍ରି ହେଉଛି ମହାପ୍ରଭୁଙ୍କ ମାଳମାହାର୍ଦ୍ଦ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଲାଗି ହେଉଥିବା ଫୁଲ ମହାପ୍ରସାଦ ବା ମାଳମାହାର୍ଦ୍ଦ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ । ମାଳ ମହାପ୍ରସାଦର ଦାମ ୫ ଶହରୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି । ମହାପ୍ରଭୁଙ୍କ ଅଙ୍ଗରେ ଦୀର୍ଘ ସମୟ ଧରି ମାଳ ରହୁଥିବାରୁ ଏହାକୁ ଶୁଭ କାମରେ ବ୍ୟବହାର କଲେ ମଙ୍ଗଳ ହେବାର ବିଶ୍ୱାସ ରହୁଛି । ତେଣୁ ମାଳ ମହାପ୍ରସାଦର ଚାହିଦା ବଢୁଥିବା ବେଳେ ଦର ନିୟନ୍ତ୍ରଣ କରିବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

ଫୁଲମାଳର ଦାମ ୧୦ହଜାର ଟଙ୍କା । ମହାପ୍ରଭୁଙ୍କୁ ପ୍ରତ୍ୟକ ଦିନ ଫୁଲରେ ତିଆରି ବିଭିନ୍ନ ସାମଗ୍ରୀ ଲାଗି ହୋଇଥାଏ । ଆଉ ମଇଲମ ବେଳେ ଏହି ସବୁ ଫୁଲ ମାଳ ବଦଳରେ ନୂଆ ଫୁଲମାଳ ଲାଗି କରାଯାଏ । ଅରଉ ଭକ୍ତଙ୍କ ଭିତରେ ଶ୍ରୀଜିଉଙ୍କଠାରୁ ଓଲାଗି ହୋଇଥିବା ଫୁଲ ମାଳ ବିକ୍ରି କରାଯାଏ । ସାଧାରଣ ସମୟରେ ଏହି ଫୁଲ ମାଳର ଦାମ ୫ଶହରୁ ହଜାରେ ଟଙ୍କା ଭିତରେ ରହୁଥିବା ବେଳେ ଶୁଭଦିନ ଓ ବିଶେଷ ତିଥି ମାନଙ୍କରେ ଏହାର ଦାମ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବଢିଯାଏ ।

ବଡଦାଣ୍ଡରେ ସେବାୟତମାନେ ଧରି ପରିକ୍ରମା କରୁଥିବା ଫୁଳ ମାଳର ଦାମ ୪ହଜାରରୁ ୧୦ହଜାର ଟଙ୍କା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ ଏହି ଫୁଲମାଳ । ମଇଲମ ପରେ ନୂଆ ଫୁଲ ମାଳ ଲାଗିହେବା ସହ ପୁରୁଣା ମାଳକୁ ଭକ୍ତଙ୍କ ଭିତରେ ବଂଟାଯାଇଥାଏ । ବିଶ୍ୱାସ ରହିଛି ଏହି ମାଳରେ ନିଜେ ଶ୍ରୀଜଗନ୍ନାଥ ବିଜେ କରିଥାନ୍ତି । ଏମିତିକି ବିବାହ ଠାରୁ ଗୃହନିର୍ମାଣ ହେଉ ଅବା କୌଣସି ଶୁଭକାର୍ଯ୍ୟ, କୁହାଯାଏ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଏହି ମାଳ ସ୍ଥାପନ କଲେ ସବୁ ବାଧାବିଘ୍ନ ଦୂର ହୋଇଥାଏ ।

ମହାପ୍ରଭୁଙ୍କ ଶ୍ରୀହସ୍ତଠାରୁ ଶ୍ରୀପୟର ପର୍ଯ୍ୟନ୍ତ ବିଭିନ୍ନ ପୁଷ୍ପ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀହସ୍ତରେ ଲାଗି ହେଉଥିବା ଫୁଲମାଳକୁ କରପଲ୍ଳବ କୁହାଯାଏ । ସେହିଭଳି ଛାତିରେ ଲାଗି ହେଉଥିବା ଫୁଲମାଳକୁ ହୃଦ ପଲ୍ଲବ କୁହାଯାଏ । ସାଧାରଣ ଦିନରେ କର ପଲ୍ଳବର ମୂଲ୍ୟ ୫ଶହ ଥିବା ବେଳେ ଶୁଭ ତିଥିରେ ଏହାର ଦାମ ୪ହଜାର ଟଙ୍କା ହୋଇଥାଏ । ସେହିଭଳି ୧ହଜାର ଟଙ୍କାରେ ମିଳୁଥିବା ହୃଦପଲ୍ଲବ ବିଶେଷ ତିଥିରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବଢି ଯାଇଥାଏ । ଦିନକୁ ୬୦ଟି ଫୁଲ ମାହାର୍ଧ ବାହାରୁଥିବା ବେଳେ ୬ଶହରୁ ଅଧିକ ଭକ୍ତ ଏହି ମାଳ ପାଇବା ପାଇଁ ଆଶା ରଖିଥାନ୍ତି । ଅକ୍ଷୟ ତୃତୀୟା ଦିନ ଏହି ମାଳର ଦାମ ସବୁଠୁ ଅଧିକ ରହିଥାଏ, କିନ୍ତୁ ମାଳର ମୂଲ୍ୟ ବଢିବା ଯୋଗୁଁ ସାଧାରଣ ଭକ୍ତଙ୍କ ପାଇଁ ଏହା ପାଇବା ଏବେ କାଠିକର ପାଠ ହୋଇଯାଇଛି । ଶ୍ରୀମନ୍ଦିର ପତିତପାବନ ବାନାକୁ ଏକ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରାଯାଉଥିବା ବେଳେ ଏହି ମାହାର୍ଦ୍ଧ ଦର ନିୟନ୍ତ୍ରଣ ହେଲେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ରହିବ ବୋଲି ଦାବି ହୋଇଛି ।