ଚୀନକୁ ସହଜରେ ଛାଡିବନି ଭାରତ । ଚୀନ୍ ପୂର୍ବ ସ୍ଥାନକୁ ନ ଫେରିବା ପର୍ଯ୍ୟନ୍ତ ସୀମାରେ ରହିବେ ଯବାନ, ଶୀତଋତୁରେ ରହଣି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରୁଛି ଭାରତୀୟ ସେନା ।
କନକ ବ୍ୟୁରୋ : ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ନ ଆସିବା ପର୍ଯ୍ୟନ୍ତ ଭାରତୀୟ ଯବାନମାନେ ସେଠାରେ ଜଗି ରହିବେ ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଫଳରେ ଆଗାମୀ ଶୀତଋତୁରେ ମଧ୍ୟ ଭାରତୀୟ ସେନା ସେଠାରେ ରହିବାର ସମ୍ଭାବନା ବଢିଯାଇଛି । ଶୀତଋତୁରେ ଲଦାଖରେ ତାପମାତ୍ରା ମାଇନସ୍ ୨୦ ଡିଗ୍ରୀ ତଳକୁ ଖସିଯାଏ । ଏଣୁ ଏଠାରେ ରହିବା ବେଶ କଷ୍ଟକର । ଏହା ସତ୍ତ୍ୱେ ସେନା ସେଠାରେ ରହିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଲେପ୍ଟନାଣ୍ଟ ଜେନେରାଲ ଓ୍ଵାଇକେ ଜୋଶୀ କହିଛନ୍ତି ଯେ ଚୀନ ସେନା ଏପ୍ରିଲ ମଧ୍ୟ ପୂର୍ବରୁ ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନକୁ ନ ଫେରିବା ପର୍ଯ୍ୟନ୍ତ ଭାରତୀୟ ସେନା ଲଦାଖରେ ଥିବା ଏଲଏସିରେ ବଜାୟ ରହିବେ । ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତୀୟ ସେନା ସବୁପ୍ରକାରର ଉଦ୍ୟମ କରିବ । ଏହା ହାସଲ ନ ହେବା ପର୍ଯ୍ୟନ୍ତ ସେନା ସେଠାରେ ରହିବ । ଦୁଇପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନାର ସଫଳତା ଓ ଦୁଇପକ୍ଷ ମଧ୍ୟରେ ହୋଇଥିବା ନିଷ୍ପତ୍ତିକୁ ପାଳନ କରାଯିବା ଉପରେ ସ୍ଥିତାବସ୍ଥା ଫେରିବାର ସମୟ ନିର୍ଭର କରିବ ।
ଦୁଇପକ୍ଷର ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ଚୀନ ସେନା ଗଲଓ୍ଵାନ ଘାଟି ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ପଛକୁ ଫେରିଛି । କିନ୍ତୁ ଅନ୍ୟ ବିବାଦୀୟ ଅଞ୍ଚଳ ପେଙ୍ଗୟାଂ ସୋ ଓ ପିପି୧୭ ଗୋଗ୍ରା ଅଞ୍ଚଳରେଚ ଚୀନ ସେନା ଏବେ ବି ରହିଛି । ସେ କହିଛନ୍ତି ଯେ ସୀମାରେ ଶାନ୍ତି ଫେରାଇ ଆଣିବାକୁ ଭାରତୀୟ ସେନା ଓ ସରକାର ସବୁପ୍ରକାରର ଉଦ୍ୟମ କରୁଛନ୍ତି । କିନ୍ତୁ ଯେକୌଣସି ପ୍ରକାରର ସ୍ଥିତିର ସାମନା କରିବାକୁ ସେନା ପ୍ରସ୍ତୁତ ଅଛି ।