ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ଦିନକୁ କରାଯିବ ୧୪ ଶହ ଟେଷ୍ଟ, ବସ୍ତି ଅଂଚଳ ଉପରେ ରଖାଯାଇଛି ନଜର ।

794

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ବିଏମସି ଦିନକୁ ୧୪ ଶହ ଜଣଙ୍କର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତି ଗର୍ଗ କହିଛନ୍ତି, ବିଏମସି ବସ୍ତି ଅଚଂଳରେ ସ୍ୱତନ୍ତ୍ର ନଜର ରଖିଛି । କାରଣ ବସ୍ତି ଅଂଚଳକୁ ନେଇ ସମସ୍ତଙ୍କର ଆଶଙ୍କା ରହିଛି । ତେଣୁ ବସ୍ତି ଅଂଚଳ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରାଯାଇଛି । ଆମର ଟିମ ଲୋକଙ୍କର ସ୍ଥିତି ପରଖୁଛନ୍ତି । ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି । ଆମେ ବସ୍ତି ଅଂଚଳରେ କଣ୍ଟେନମେଣ୍ଟ ଜୋନ କରୁଛୁ । ବୟସ୍କ ମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ପ୍ଲାନ କରିଛୁ ।

ଶ୍ରୀମତୀ ଗର୍ଗ କହିଛନ୍ତି, ଆମେ ସଚେତକ ଆପ କରିଛୁ । କୋଭିଡ ସ୍ଥିତି କ’ଣ, ପାଖରେ କେଉଁ ଡାକ୍ତର ଅଛନ୍ତି । ଲୋକଙ୍କୁ ଏସବୁ ତଥ୍ୟ ଉପଲବ୍ଧ କରାଉଛୁ । ସଚେତକ ଆପ ଡାଉନଲୋଡ କରନ୍ତୁ । ସଚେତକ ଆପରୁ ଲୋକଙ୍କୁ ଉପକାର ମିଳୁଛି । ଏହି ଆପ୍ ମାଧ୍ୟମରେ ୱାର୍ଡରେ କେତେ ଆକ୍ରାନ୍ତ ଅଛନ୍ତି, ତାହା ଜଣାପଡୁଛି । ଆପଣମାନେ ମଧ୍ୟ ସଚେତକ ଆପ ଡାଉନଲୋଡ କରନ୍ତୁ ବୋଲି ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅସୁବିଧା ହେଲେ ଆମକୁ ଜଣାନ୍ତୁ । ପ୍ରାୟ ୧୦ ହଜାର ଲୋକ ‘ସଚେତକ’ ଆପ ଡାଉନଲୋଡ଼ କରିଛନ୍ତି । ବିଏମସି ଅଧିନ ୬୭ଟି ୱାର୍ଡରେ ସଚେତକ ଟିମ ଅଛନ୍ତି । ସେମାନେ ନିରନ୍ତର କାମ କରୁଛନ୍ତି ।

ଭୁବନେଶ୍ୱରରେ ହୋମ ଆଇସୋଲେସନର ବ୍ୟବସ୍ଥା ଅଛି । ଏଥି ପାଇଁ ଅନୁମତି ପ୍ରଦାନ କରାଯାଉଛି । ଏବେ ବିଏମସି ଅଂଚଳରେ ୧୬୭ ଜଣ ଲୋକ ହୋମ ଆଇସୋଲେସନରେ । ବିଏମସି ଅଂଚଳରେ ୧୧ ଜଣ ଆଇସୋଲେସନ ଓ ୪ ଜଣ ଭେଣ୍ଟିଲେଟରରେ ଅଛନ୍ତି । ସେହିଭଳି ୧୫୦୦ ବେଡ ବଢ଼ାଇବାର ଯୋଜନା ଅଛି । ଏବେ ୬ଟି ସ୍ଥାନରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ କରାଯାଇଛି । ଲକଡାଉନକୁ ସମସ୍ତେ ସମ୍ମାନ ଜଣାନ୍ତୁ । ଲୋକେ ଏବେବି ବହୁ ସ୍ଥାନରେ ଭିଡ କରୁଛନ୍ତି । ମାସ୍କ ପିନ୍ଧୁନାହାନ୍ତି । ଆପଣ ଯେତେବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆମକୁ ଜଣାନ୍ତୁ । ସମସ୍ତେ ପ୍ରୋଟେକଲକୁ ସମ୍ମାନ ଜଣାନ୍ତୁ । ଲକ୍‌ଡାଉନକୁ ମାନନ୍ତୁ । ଭିଡକୁ ନଯାଇ ଯଥା ସମ୍ଭବ ଘରେ ରୁହନ୍ତୁ ବୋଲି ଶ୍ରୀମତି ଗର୍ଗ ପରାମର୍ଶ ଦେଇଛନ୍ତି ।