ଭାରତ କରୁଛି କରୋନା ମୁକାବିଲା । କରୋନା ସଙ୍କଟରୁ ଓହରିପାରିବ କି ଭାରତ? ଲାଭଦାୟକ ହେବ କି ଲମ୍ବାସମୟ ଲକଡାଉନ୍?

765

କନକ ବ୍ୟୁରୋ: ଦେଶରେ ମହାମାରୀ କରୋନାର ସଙ୍କଟ ଭିତରେ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ ଅର୍ଥାତ୍ ଫିକି ରଖିଥିିବା ମତ ନୂଆ ଚର୍ଚା ସୃଷ୍ଟି କରିଛି । ଫିକି କହିଛି ଯେ, ଭାରତ ଭଳି ଦେଶ ପାଇଁ ଦୀର୍ଘସ୍ଥାୟୀ ଲକଡାଉନ୍ ରଣନୀତି ବଡ ଧରଣର ଲାଭ ଦେଇପାରିବ ନାହିଁ । ଭାରତର ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ମଧ୍ୟ ଏଭଳି ରଣନୀତି ସମ୍ଭବ ନୁହେଁ ।

କୋରନା କ୍ଷତିରୁ ବର୍ତିବା ପାଇଁ ଭାରତ କମନ ଏଗଜିଟ୍ ପ୍ଲାନ ଉପରେ ଗୁରୁତ୍ୱ ଦେଉଛି । ସାରା ଦେଶରେ ଲକଡାଉନ୍ ଲାଗୁ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଭାରତର ବ୍ୟବସାୟ ଜଗତ ପାଇଁ ଲମ୍ବା ସମୟର ଲକଡାଉନ୍ କେତେ ଲାଭ ଦେବ ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଭାରତର ଅର୍ଥନୀତି ଉପରେ କରୋନା ବଡ ଧରଣର ପ୍ରଭାବ ପକାଇବା ପୂର୍ବରୁ ବ୍ୟବସାୟର ଆରମ୍ଭ ଜରୁରୀ ବୋଲି ଫିକି କହିଛି ।

ଫିକି ପକ୍ଷରୁ କୁହାଯାଇଛି ଯେ,

– କରୋନା ଏଭଳି ଏକ ରୋଗ ଯାହାର ଗତି ଅପ୍ରତ୍ୟାଶିତ
– ଏଭଳି ସ୍ଥିତିରେ ବ୍ୟବସାୟ କ୍ଷେତ୍ରରେ ସନ୍ତୁଳନ ଆଣିବାକୁ ଉଦ୍ୟମ କରାଯିବା ଆବଶ୍ୟକ
– ଅର୍ଥନୀତି ଉପରେ ପ୍ରଭାବ ହ୍ରାସ କରିବାକୁ ହେଲେ ବ୍ୟବସାୟରେ ଗତି ଜରୁରୀ
– ଦେଶର ଅର୍ଥନୈତିକ ଓ ସାମାଜିକ ସ୍ଥିତି ମଧ୍ୟରେ ନିୟନ୍ତ୍ରଣ ରହିବା ଦରକାର
– ଦିନକୁ ଦିନ ସମୀକ୍ଷା କରି ରଣନୀତି ବଦଳାଯିବା ଉଚିତ
– ତୃଣମୂଳ ସ୍ତରରୁ ଶୃଙ୍ଖଳିତ ଏବଂ ସତର୍କତା ମୂଳକ ଆଭିମୁଖ୍ୟ ଆବଶ୍ୟକ
– ଦେଶବାସୀଙ୍କ ପାଇଁ ସର୍ବାଧିକ ନିରାପତା ବ୍ୟବସ୍ଥା କରି ଯୋଜନା କରିବାକୁ ପଡିବ
– ସାମାଜିକ ଦୂରତାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଜରୁରୀ

୨୧ ଦିନର ଲକଡାଉନ୍ ଘୋଷଣା ପରେ ତାଲାବନ୍ଦ ଅବଧିକୁ ଆହୁରି କିଛି ଦିନ ବଢାଇବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଅନେକ ରାଜ୍ୟ ଏନେଇ ପ୍ରସ୍ତାବ ବି ଦେଇସାରିଛନ୍ତି । ତେବେ ଲକଡାଉନ୍ ଫଳରେ ଶହ ଶହ ସଂସ୍ଥା ବନ୍ଦ ହୋଇଯାଇଛି । କମ୍ପାନୀରେ ତାଲା ଝୁଲୁଛି । ଉତ୍ପାଦନ ଠପ୍ ହୋଇଯାଇଛି । ଏଭଳି ସ୍ଥିତିରେ ଭାରତର ଅର୍ଥନୈତିକ ବ୍ୟବସ୍ଥା ପ୍ରଭାବିତ ହେବ ମଧ୍ୟ ନିଶ୍ଚିତ ।..

ଗୋଟିଏ ପଟେ ସରକାର, କରୋନା ସ୍ଥିତିରୁ ମୁକୁଳିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ସମସ୍ୟା ବଢାଇଚାଲିଛି ଲକଡାଉନ୍ । ତଥ୍ୟ ଅନୁସାରେ ମାର୍ଚ୍ଚ ୨୯ ସୁଦ୍ଧା ଦେଶରେ ବେକାରୀ ହାର ୨୩.୮ ପ୍ରତିଶତରେ ପହଁଚିଲାଣି ।

ଏଭଳି ସ୍ଥିତିରେ ଫିକି ପରାମର୍ଶ ଦେଇଛି ଯେ,
– ଯେଉଁ ଅଂଚଳ କୋଭିଡ-୧୯ ଦ୍ୱାରା ପ୍ରଭାବିତ ହୋଇନାହିଁ ଏବଂ ବାହାର ରାଜ୍ୟର ଦାଦନ ଶ୍ରମିକ ନାହାଁନ୍ତି ସେହି ଅଂଚଳରେ ସମସ୍ତ ସେବାକୁ ସ୍ୱାଭାବିକ କରାଯିବା ଉଚିତ ।
– ପରିବହନ, ଯୋଗାଯୋଗ ସହ ସ୍ଥାନୀୟ ଉତ୍ପାଦନ ଉପରେ କଟକଣା ହଟାଯିବା ଆବଶ୍ୟକ
– ବର୍ତମାନର ସମୟ ଚାଷ ପାଇଁ ଅନୁକୂଳ ଥିବାରୁ କୃଷିକାମ ଏବଂ ଏନଆରଇଜିଏସ କାମ ଯେପରି ପ୍ରଭାବିତ ନହେବ ସେନେଇ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପଡିବ ।