ଘରେ ନ ପଶୁଣୁ ବାଜିଲା ଚାଳ, ମୋଦି ସରକାରଙ୍କୁ ଲାଗିଲା ବଡ଼ ଝଟକା ! ଆୟୁଷ୍ମାନ ଭାରତ ଯୋଜନାକୁ ନାକ ଟେକିଲା ଡାକ୍ତରୀ ସଂଘ

22

ଦେଶର ସବୁଠୁ ବଡ କଲ୍ୟାଣକାରୀ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆସିଛି ବଡ ଖବର । ଆୟୁଷ୍ମାନ ଭାରତ ଯୋଜନାକୁ ଯେଉଁ ଡାକ୍ତରମାନେ କାର୍ଯ୍ୟକାରୀ କରିବାରେ ବଡ ଭୂମିକା ନେବେ, ସେହି ଡାକ୍ତରମାନଙ୍କ ପକ୍ଷରୁ ଯୋଜନାକୁ ନେଇ ଉଠିଛି ଆପତି । ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍ ଏହି ଯୋଜନାକୁ ବିରୋଧ କରିଛି ।

ଯେଉଁ ଆୟୁଷ୍ମାନ ଭାରତ ଯୋଜନାକୁ ବିଶ୍ୱର ସବୁଠୁ ବଡ କଲ୍ୟାଣକାରୀ ଯୋଜନା ବୋଲି ପ୍ରଚାର କରି ଆସୁଛି ବିଜେପି, ସେହି ଯୋଜନାକୁ ସଫଳ କରିବାରେ ବଡ ଭୂମିକା ରଖୁଥିବା ଡାକ୍ତମାନେ ଏହାକୁ ନାକ ଟେକିଛନ୍ତି । ମୋଦି ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛି ଆଇଏମଏ ବା ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍ । ବିଶେଷ କରି ସରକାର ଘୋଷଣା କରିଥିବା ଚିକିତ୍ସା ପ୍ୟାକେଜକୁ ସଂଘ ପ୍ରତ୍ୟାଖାନ୍ କରିଛି । ସଂଘ କହିଛି- ସରକାରୀ ଧାର୍ଯ୍ୟ ଦରରେ ଚିକିତ୍ସା କରିବା ସ୍ୱାସ୍ଥ୍ୟସେବାର ମାନ କମାଇବ । ସରକାର ଯେଉଁ ପ୍ୟାକେଜ୍ ଧାର୍ଯ୍ୟ କରିଛନ୍ତି ଏହା ରୋଗୀଙ୍କୁ ବିପଦ ଆଡକୁ ଟାଣିନେବ ।

ସେହିପରି ବୀମା ମଡେଲ, ପାଣ୍ଠି ଆବଂଟନ, ଚିକିତ୍ସା ପ୍ୟାକେଜ୍କୁ ସଂଘ ପକ୍ଷରୁ ବିରୋଧ କରାଯାଇଛି । ପ୍ୟାକେଜ୍ ଧାର୍ଯ୍ୟ ପୂର୍ବରୁ ସଠିକ୍ ମୁଲ୍ୟାୟନ କରିବାକୁ ମଧ୍ୟ ଦାବି କରାଯାଇଛି । ସଂଘର ଏକ ଜରୁରୀକାଳୀନ ବୈଠକ ପରେ ଏକ ପ୍ରେସ୍ ବିବୃତି ଜରିଆରେ ସୂଚନା ଦିଆଯାଇଛି । ଏହି ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଆଇଏମଏର ଏଭଳି ଏକ ବିବୃତି ଆସିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ସହ ଓଡ଼ିଶା ସରକାର ଯିବାକୁ ମନା କରିଦେଇଥିବା ବେଳେ ଜନତାଙ୍କୁ ସୁଲଭ ମୁଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନିଜସ୍ୱ ଯୋଜନା ଘୋଷଣା କରିଛନ୍ତି ।