ୟୁଟ୍ୟୁବ୍ ଭିଡ଼ିଓ ଦେଖି ସ୍ୱାମୀ କରୁଥିଲେ ଅପରେସନ୍, ଶିଶୁର ଜୀବନ ଚାଲିଗଲା, ସ୍ତ୍ରୀ ଗୁରୁତର । 

220

କନକ ବ୍ୟୁରୋ : ତାମିଲନାଡୁର ରାନୀପେଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ବେପରୁଆ ମନୋଭାବ ଯୋଗୁଁ ନବଜାତ ଶିଶୁର ପ୍ରାଣ ଚାଲି ଯାଇଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ।

ମିଳିଥିବା ସୂଚନା ମୁତାବକ, ରାନୀପେଟର ଏକ ହସ୍ପିଟାଲରେ ଗମ୍ଭୀର ଅବସ୍ଥାରେ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ଶିଶୁକୁ ଜନ୍ମ ଦେବା କାରଣରୁ ମହିଳାଙ୍କ ଶରୀରରୁ ଅତ୍ୟଧିକ ମାତ୍ରାରେ ରକ୍ତ ବହି ସାରିଥିଲା । ତେବେ ଏହି ଘଟଣାର ଯାଞ୍ଚ ପରେ ଏକ ସାଂଘାତିକ ସତ ସାମ୍ନାକୁ ଆସିଥିଲା । କୌଣସି ଡାକ୍ତରଙ୍କ ସାହାଯ୍ୟ ବିନା ୟୁଟ୍ୟୁବ ଦେଖି ଗର୍ଭବତୀ ମହିଳାଙ୍କ ଅପରେସନ କରିଥିଲେ ତାଙ୍କ ସ୍ୱାମୀ । ଯେଉଁଥିପାଇଁ ମହିଳାଙ୍କ ଅବସ୍ଥା ଏଭଳି ସଙ୍ଗୀନ ହୋଇଯାଇଥିବା କୁହାଯାଉଛି ।

୩୨ ବର୍ଷୀୟ ଲୋଗାନାଥାନ ବର୍ଷେ ପୂର୍ବେ ଗୋମତୀ ନାମକ ଯୁବତୀଙ୍କୁ ବିବାହ କରିଥଲେ । ବିବାହର କିଛି ଦିନ ପରେ ଗୋମତୀ ଗର୍ଭବତୀ ହୋଇଥିବା ବେଳେ ଡେଲିଭରୀ ତାରିଖ ୧୩ ଡିସେମ୍ବର ରହିଥିଲା । କିନ୍ତୁ ଗୋମତୀଙ୍କୁ ୧୮ ଡିସେମ୍ବରରେ ଯନ୍ତ୍ରଣା ହୋଇଥିଲା । ଆଉ ସ୍ତ୍ରୀକୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତୁରନ୍ତ ହସ୍ପିଟାଲ ନେବା ବଦଳରେ ନିଜେ ଡେଲିଭରୀ କରିବାକୁ ସ୍ଥିର କରିଥିଲା ଲୋଗାନାଥାନ । ଆଉ ଏଥିପାଇଁ ୟୁଟ୍ୟୁବ୍ ଭିଡ଼ିଓର ସହାୟତା ନେଇଥିଲା ଲୋଗାନାଥାନ । କିନ୍ତୁ ଏଭଳି ପ୍ରୟାସର ପରିଣାମ ଯେ ସାଂଘାତିକ ହେବ ତାହା କେବେ କଳ୍ପନା କରିନଥିଲା ଲୋଗାନାଥନ । କାରଣ ଡେଲିଭରୀ ବେଳେ ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ସେହିଭଳି ପ୍ରବଳ ରକ୍ତସ୍ରାବ ଯୋଗୁଁ ପତ୍ନୀ ଗୋମତୀ ମଧ୍ୟ ବେହୋସ ହୋଇଯାଇଥିଲେ ।

ଆଉ ଏହା ଦେଖିବା ପରେ ତୁରନ୍ତ ଗୋମତୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାରଥିଲା ପରେ ତାଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ଗୋମତୀଙ୍କ ଚିକିତ୍ସା ଜାରି ରହିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । କିନ୍ତୁ ଏହି ଘଟଣାର ଯାଞ୍ଚ କରିବା ସହ ସ୍ୱାମୀ ଲୋଗାନାଥନଙ୍କୁ ପଚରାଉଚରା କରୁଛି ପୋଲିସ ।