ପ୍ରବଳ ଥଣ୍ଡାରେ ଥରୁଛି ଭାରତ ! ରାଜସ୍ଥାନ ଠୁ ରାଜଧାନୀ, ସବୁଠି ଜାରି ରହିଛି ଶୀତର ଲହର ।

148

କନକ ବ୍ୟୁରୋ : ସାରା ଦେଶରେ ଶୀତର ଲହର ଜାରି ରହିଛି । ରାଜସ୍ଥାନଠୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଛି ପ୍ରବଳ ଶୀତ ଲହର । ରାଜସ୍ଥାନରେ ତାପମାତ୍ରା ମାଇନସ ହୋଇଥିବା ବେଳେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେପଟେ ବଢୁଥିବା ଥଣ୍ଡାର ଭରପୁର ମଜା ଉଠାଉଛନ୍ତି ଜମ୍ମୁ କଶ୍ମୀରବାସୀ ।

ବଢୁଛି ଜାଡ । ଥରୁଛି ଭାରତ । ରାଜସ୍ଥାନ ଠୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଜାରି ରହିଛି ପ୍ରବଳ ଶୀତ ଲହର । ସାରା ଉତ୍ତର ଭାରତ ଥଣ୍ଡାର ପ୍ରକୋପରେ ଥରିଉଠିଛି । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଫଳରେ ରାଜଧାନୀବାସୀଙ୍କ ସମସ୍ୟା ବଢିବାରେ ଲାଗିଛି । ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଲୋକେ ନିଆଁ ଜାଳି ଥଣ୍ଡାର ପ୍ରକୋପରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ରାଜଧାନୀରେ ବଢୁଥିବା ଶୀତ ଅଟୋ ଚାଳକଙ୍କ ସମସ୍ୟା ବଢେଇ ଦେଇଛି । ଥଣ୍ଡା ଏତେ ପ୍ରବଳ ହେଉଛି ଯେ ଲୋକେ ଘରୁ ବାହାରୁ ନାହାନ୍ତି ।

ରାଜସ୍ଥାନରେ ମଧ୍ୟ ପ୍ରବଳ ଶୀତ ଲହର ଲାଗି ରହିଛି । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ମାଇନସ ଡିଗ୍ରୀ ସେଲସିୟସ ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କରୋଲି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୦.୧ ରହିଥିବା ବେଳେ, ଶିକର ଏବଂ ଚୁରୁ ଜିଲ୍ଲାରେ ୦.୫ ରହିଛି । ସେହିପରି ଫତେପୁର ଜିଲ୍ଲାରେ ତାପମାତ୍ରା ୧.୮ ଡିଗ୍ରୀ ସେଲସିୟସ ରହିଛି । ରାଜ୍ୟରେ ଜାରି ରହିଥିବା ଶୀତର ଲହର ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ସେହିପରି ଭୀଷଣ ବରଫ ବର୍ଷା ଯୋଗୁ ଚାଷକାମ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଉତ୍ତର ଭାରତର ଥଣ୍ଡା ପବନ ଆସୁଥିବା ଯୋଗୁ ମହାରାଷ୍ଟ୍ରରେ ମଧ୍ୟ ଥଣ୍ଡା ବଢୁଛି । ଫଳରେ ନାଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ବଢୁଥିବା ଥଣ୍ଡାର ଭରପୁର ମଜା ଉଠାଉଛନ୍ତି ଜମ୍ମୁକାଶ୍ମୀରବାସୀ । ଶ୍ରୀନଗରରେ ଶୀତ ଲହର ଜାରି ରହିବା ଫଳରେ ଚା ଦୋକାନରେ ଭିଡ ଜମୁଛି । ଶୀତୁଆ ସକାଳରେ ଗରମ ଚା’ର ମଜା ନେଉଛନ୍ତି ଲୋକେ ।