ଦୁନିଆର ଏକ ନମ୍ବର ଆତଙ୍କୀର ଦୟନୀୟ ମୃତ୍ୟୁ । କେମିତି ମଲା ଆତଙ୍କୀ ଅବୁ ବକର ଅଲ ବାଗଦାଦି ? ଜାଣନ୍ତୁ କେମିତି ଥିଲା ପୁରା ଅପରେସନ୍ ।

426

କନକ ବ୍ୟୁରୋ : ବିଶ୍ୱର ଏକ ନମ୍ବର ଆତଙ୍କୀ ଅବୁ ବକର ଅଲ ବଗଦାଦି କେମିତି ମଲା ସେନେଇ ସମସ୍ତ ତଥ୍ୟ ଏବେ ସାମ୍ନାକୁ ଆସିଛି । ଉତ୍ତର ସୀରିଆରେ ଏକ ସୁଡଙ୍ଗ ଭିତରେ ଆମେରିକାର ଡେଲଟା ଫୋର୍ସ ତାକୁ ଅଭିନବ ଉପାୟରେ ହତ୍ୟା କରିଛି । ସୁଡଙ୍ଗ ଭିତରକୁ ତାଲିମ ପ୍ରାପ୍ତ କୁକୁର ଗୁଡିକୁ ଛାଡି ଦେଇଥିଲା ଆମେରିକାର ଡେଲଟା ଫୋର୍ସ । କୁକୁରଗୁଡିକ ବଗଦାଦିକୁ ଗୋଡାଇଥିଲେ ଏବଂ ବାଗଦାଦି ଦୌଡି ଦୋଡି ସୁଡଙ୍ଗର ଶେଷରେ ପହଂଚିଥିଲା । କୁକୁର ଗୁଡିକ ମାଡି ଆସୁଥିବା ଦେଖି ନିଜ ଆତ୍ମଘାତୀ ଜ୍ୟାକେଟରେ ବିସ୍ଫୋରଣ ଘଟାଇଥିଲା । ତାର ମାଂସ ଖଣ୍ଡର ଡିଏନଏ ଟେଷ୍ଟ କରି ବାଗଦାଦୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଆମେରିକା ।

ଉତ୍ତର-ପଶ୍ଚିମ ସିରିୟାର ଇଡଲିବରେ ବାଗଦାଦିକୁ କାବୁ କରିବା ପାଇଁ ଶନିବାର ଆରମ୍ଭ ହୋଇଥିଲା ଅପରେସନ୍ । ବିଶ୍ୱର ଏହି ଆତଙ୍କୀ ସର୍ଦ୍ଦାର କେଉଁଠି ଲୁଚିଛି, ସେ ସଂପର୍କରେ ଆମେରିକା ସେନା ପାଖରେ ଥିଲା ପକ୍କା ସୂଚନା । ଆଉ ଶନିବାର ସଂଧ୍ୟାରେ ଆରମ୍ଭ ହୋଇଥିଲା ଆମେରିକା ସେନାର ଅପରେସନ ବାଗଦାଦି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଆନୁସାରେ, ମଧ୍ୟପ୍ରାଚ୍ୟର ଏକ ଅଜଣା ବାୟୁସେନା ଘାଟିରୁ ଆମେରିକା ସେନାର ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ କମାଣ୍ଡୋଙ୍କୁ ଧରି ଉଡିଥିଲା ୮ଟି ହେଲିକପ୍ଟର । ବିଶେଷ କରି ଆତଙ୍କବାଦ ବିରୋଧୀ ଲଢେଇରେ ମାହିର ଡେଲ୍ଟା ଫୋର୍ସର ଦକ୍ଷ କମାଣ୍ଡର ଏହି ଅପରେସନରେ ସାମିଲ ହୋଇଥିଲେ । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ, ଜଣେ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ କହିଛି ଯେ, ପଶ୍ଚିମ ଇରାକର ବାୟୁସେନା ଘାଟିରୁ ଏହି ହେଲିକପ୍ଟରଗୁଡିକ ଇଡଲିବ ଅଭିମୁଖେ ବାହାରିଥିଲେ । ହେଲିକପ୍ଟରରେ ଡେଲ୍ଡା ଫୋର୍ସର କମାଣ୍ଡରଙ୍କ ସହ ଡଗ ସ୍ୱାର୍ଡ ଏବଂ ଏକ ସେନା ରୋବର୍ଟ ମଧ୍ୟ ସବାର ହୋଇଥିଲା ।

କୁଖ୍ୟାତ ଆତଙ୍କବାଦୀ ଅବୁ ବକର ଅଲ ବାଗଦାଦି ରହୁଥିବା ଅଂଚଳକୁ ଠାବ କରି ଏହା ନିକଟରେ ଅବତରଣ କରିବାକୁ ଉଦ୍ୟମ କରିଥିଲେ ଆମେରିକା ସେନା କମାଣ୍ଡର । ହେଲେ ଏତିକିବେଳେ ଜୋରଦାର ଗୁଳିମାଡ କରିଥିଲେ ବାଗଦାଦି ସେନା । ଆତଙ୍କବାଦୀଙ୍କ ଗୁଳି ବର୍ଷଣ ଭିତରେ ବାଗଦାଦି ରହୁଥିବା ଅଂଚଳରେ ଅବତରଣ କରି ଚାରିପଟୁ ଘେରି ଯାଇଥିଲେ ଆମେରିକା ଡେଲ୍ଟା ଫୋର୍ସର ଯବାନ । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଜୋରଦାର ଗୁଳି ବିନିମୟ । ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକକୁ ହଟାଇ ଧିରେଧିରେ ବାଗଦାଦି ରହୁଥିବା କୋଠାର ନିକଟତର ହେଉଥିଲା ଆମେରିକା ସେନା । ତେବେ ବାଗଦାଦି ରହୁଥିବା ଅଂଚଳର ମୁଖ୍ୟ ଦ୍ୱାର ଭିତରପଟୁ ବନ୍ଦ ଥିଲା । ଏହାକୁ ବୋମା ମାଡ କରି ଉଡାଇଦେବା ପରେ ଭିତରକୁ ପ୍ରବେଶ କରିଥିଲା ସେନା ।

ଜଣ ପରେ ଜଣେ ବାଗଦାଦି ସେନାକୁ ଗୁଳି କରି ହତ୍ୟା କରିବା ଅଥବା ଆତ୍ମସମର୍ପଣ ପାଇଁ ବାଧ୍ୟ କରିବା ସହ ପୁରା ଅଂଚଳକୁ ଦଖଲକୁ ନେଇଥିଲା ଆମେରିକା ସେନା । ଏହି ସମୟରେ ଏକାଧିକ ଆତଙ୍କବାଦୀଙ୍କୁ କବଜାକୁ ନେବା ସହ ପ୍ରାୟ ୧୧ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ହେଲେ ବାଗଦାଦି ସେହି ଅଂଚଳରେ ମାଟି ତଳେ ତିଆରି ହୋଇଥିବା ଏକ ଘର ମଧ୍ୟକୁ ଚାଲିଯାଇଥିଲା । ସେଠାରୁ ଏକ ସୁଡଙ୍ଗ ଦେଇ ଦୌଡି ପଳାଇବାକୁ ଉଦ୍ୟମ କରିଥିଲା ବିଶ୍ୱର ସବୁଠାରୁ ଦୁର୍ଦ୍ଦଶ ଆତଙ୍କବାଦୀ । ଗଲାବେଳେ ସାଙ୍ଗରେ ତାର ତିନି ପିଲାଙ୍କୁ ମଧ୍ୟ ନେଇ ଯାଇଥିଲା ବାଗଦାଦି । ଏତିକି ବେଳେ ସୁଡଙ୍ଗ ଭିତରେ ବାଗଦାଦିକୁ ଗୋଡାଇଥିଲେ ଆମେରିକା ସେନାର ଡଗ ସ୍ୱାର୍ଡ । ସୁଡଙ୍ଗ ଭିତରେ ଅନେକ ବାଟ ଦୌଡିବା ପରେ ଗୋଟିଏ ଯାଗାରେ ସୁଡଙ୍ଗ ବନ୍ଦ ହୋଇଯାଇଥିଲା । ତେଣୁ ଆଉ ଫେରାର ହେବାକୁ ବାଟ ପାଇନଥିଲା ଅଲ ବାଗଦାଦି ।

ବଂଚିବାର ସବୁ ବାଟ ବନ୍ଦ ହୋଇଯିବା ପରେ ଆମେରିକା ସେନାର କୁକୁରଙ୍କ ଦ୍ୱାରା ମରିବା ଅପେକ୍ଷା ନିଜେ ନିଜକୁ ଶେଷ କରିଦେବାକୁ ଉଚିତ ମନେ କରିଥିଲା ବାଗଦାଦି । ଆଉ ବିସ୍ଫୋରକ ଖଂଜା ଯାଇଥିବା ଏକ ଜାକେଟକୁ ପିନ୍ଧି ନେଇଥିଲା ବାଗଦାଦି । କିଛିକ୍ଷଣ ମଧ୍ୟରେ ଏହା ବିସ୍ଫୋରଣ ହେବାରୁ ଧସି ପଡିଥିଲା ପୁରା ସୁଡଙ୍ଗ । ସାରା ବିଶ୍ୱକୁ ଆଇଏସଆଇଏସ ଆତଙ୍କବାଦୀଙ୍କ ଭୟ ଦେଖାଉଥିବା ଜଣେ ଦୁର୍ଦ୍ଦଶ ଆତଙ୍କବାଦୀର ଅତି ଦୟନୀୟ ଭାବେ ହୋଇଥିଲା ମୃତ୍ୟୁ । ଆମେରିକା ସେନା ମଧ୍ୟ ସେହିଠାରେ ତାର ଡିଏନଏ ପରୀକ୍ଷା କରି ସେ ବାଗଦାଦି ବୋଲି ସ୍ପଷ୍ଟ କରିଥିଲା ।