ଦୀପାବଳି ପରେ ଅଣନିଶ୍ୱାସୀ ହେଲା ଦିଲ୍ଲୀ । ବାଣ ଧୂଆଁରେ ଅନ୍ଧାର ହୋଇଗଲା ଚାରିଦିଗ । ବାୟୁ ପାଲଟିଲା ଜହର, ଅତ୍ୟନ୍ତ ଶୋଚନୀୟ ସ୍ତରରେ ଦିଲ୍ଲୀ ପ୍ରଦୂଷଣ ।

118

କନକ ବ୍ୟୁରୋ : ବାଣ ଧୁଆଁରେ ଅନ୍ଧାର ହୋଇଗଲା ରାଜଧାନୀ ଦିଲ୍ଲୀ । ଅନେକ ସ୍ଥାନରେ ଅତ୍ୟନ୍ତ ଶୋଚନୀୟ ସ୍ତରରେ ପହଂଚିଛି ଦିଲ୍ଲୀର ପ୍ରଦୂଷଣ । ଗତକାଲି ଦୀପାବଳି ଅବସରରେ ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ଆତସବାଜୀ ଯୋଗୁଁ ଆଜି ଦିଲ୍ଲୀ ଧୁଆଁ ଜହରରେ ପରିଣତ ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦୀପାବଳି ଅବସରରେ ଗତ ୫ବର୍ଷରେ ନ୍ୟୁନତମ ରହିଛି ଦିଲ୍ଲୀର ପ୍ରଦୂଷଣ ।

ଦିଲ୍ଲୀ ଶ୍ୱାସରୁଦ୍ଧ । ଅତ୍ୟନ୍ତ ଶୋଚନୀୟ ସ୍ତରରେ ଦିଲ୍ଲୀ ପ୍ରଦୂଷଣ । ଦୀପାବଳୀ ବାଣଫୁଟାରେ ଧୁଆଁମୟ ହୋଇଯାଇଛି ଦିଲ୍ଲୀ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦୀପାବଳି ପରେ ବାୟୁରେ ପ୍ରଦୂଷଣର ମାତ୍ରା ଅତ୍ୟନ୍ତ ଶୋଚନୀୟ ସ୍ତରରେ ପହଂଚିଛି । ଦୀପାବଳି ପରେ ଆଜି ସକାଳୁ ବାୟୁ ମାନ ସୂଚକାଙ୍କ ୪ଶହ ପାଖାପାଖି ପହଂଚିଛି । ଯାହାକୁ ଅତ୍ୟନ୍ତ ଶୋଚନୀୟ ବୋଲି କୁହାଯାଉଛି । କେତେକ ସରକାରୀ ସଂସ୍ଥାର ରିପୋର୍ଟ ଅନୁସାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର ମୋଟାମୋଟି ବାୟୁମାନ ସୂଚକାଙ୍କ ୩୨୭ଥିଲା । ମାତ୍ର ଆନନ୍ଦ ବିହାର ଅଂଚଳରେ ଏହା ୫୧୫ ଥିବାବେଳେ ୱଜିରପୁର ଓ ବୱାନାରେ ଏହା ୪ଶହ ଅତିକ୍ରମ କରିଥିଲା । ଏହାସହ ଦିଲ୍ଲୀର ପାର୍ଟିକ୍ୟୁଲେଟ ମ୍ୟାଟର ବା ପିଏମ ୨ଦଶମିକ ୫ରୁ ଯାଇ ୫ଶହ ଅତିକ୍ରମ କରିଥିଲା ।

ବାୟୁମାନ ଓ ପାଣିପାଗ ପୂର୍ବାନୁମାନ ଏବଂ ଗବେଷଣା ବିଭାଗ ଅନୁସାରେ ଆତସବାଜୀ ଫୁଟାଯିବା ଯୋଗୁଁ ବାୟୁମାନରେ ଘଟିଥିବା ଅବନତିର ପ୍ରଭାବ ଆଜି ସକାଳୁ ସର୍ବାଧିକ ଥିଲା । କିଛି ଦିନ ଧରି ବାୟୁର ମାନ ଘଟୁଥିବା ବେଳେ ଆତସବାଜୀ ଏହାକୁ ଅଧିକ ପ୍ରଭାବିତ କରିଛି । ସେଥିପାଇଁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ମଧ୍ୟ ଲଗାଇଛନ୍ତି ଦିଲ୍ଲୀ ସରକାର । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଗତ ୫ବର୍ଷରେ ଏଥର ଦୀପାବଳିରେ ସବୁଠୁ କମ ରହିଛି ପ୍ରଦୂଷଣ । ଦୀପାବଳି ଉପଲକ୍ଷେ ସୁପ୍ରିମକୋର୍ଟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୨ଘଂଟାର ସମୟ ସୀମାକୁ ଲୋକେ ମାନିନଥିବା ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାସହ ଦିଲ୍ଲୀର ଆଖପାଖ ରାଜ୍ୟର ପ୍ରଦୂଷଣର ପ୍ରଭାବ ମଧ୍ୟ ଦିଲ୍ଲୀରେ ଉପରେ ପଡିଛି ।