କ’ଣ ସତରେ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେଇଛନ୍ତି ସଲମାନ୍ ଖାନ୍ ? କ’ଣ ରହିଛି ଏହି ଖବର ପଛର ସତ୍ୟତା ,ଜାଣନ୍ତୁ ।
ଗତ କିଛି ଦିନ ଧରି ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଥିବା ଗରିବ ଗାୟିକା ରାନୁ ମଣ୍ଡଳ ଏବେ ଖୁବ୍ ଚର୍ଚ୍ଚିତ ହୋଇଯାଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ସୁମଧୁର କଣ୍ଠରେ ଗାଇଥିବା ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ରିୟଲିଟି ଶୋ’ରେ ତାଙ୍କୁ ଦେଖିବାକୁ ମିଳିଛି । ବେଶପରିପାଟୀରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ସ୍ୱଳ୍ପରେ କହିବାକୁ ଗଲେ ଗୋଟିଏ ଭାଇରାଲ୍ ଭିଡିଓ ରାନୁଙ୍କ ଭାଗ୍ୟକୁ ହିଁ ବଦଳାଇ ରଖିଦେଇଛି । ଏକ ରିୟଲିଟି ଶୋ’ରୁ ରାନୁଙ୍କୁ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଗାୟକ ହିମେଶ୍ ରେସମିୟା ମଧ୍ୟ ସାଇନ୍ କରିଛନ୍ତି । ସେ ଗାଇଥିବା ତେରୀ ମେରୀ କାହାନୀ ସଂଗୀତର ରେକର୍ଡିଂଟି ମଧ୍ୟ ଖୁବ୍ ଭାଇରାଲ୍ ହୋଇଛି ଏବଂ ଏହାକୁ ନେଇ କିଛି ବିବାଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆରେ ରାନୁଙ୍କୁ ସଲମାନଙ୍କ ସହାନୁଭୁତି ମିଳିଥିବା ଖବର ଭାଇରାଲ୍ ହେଉଛି । କେତେବେଳେ ରାନୁଙ୍କ ଗୀତ ଶୁଣି ସଲମାନଙ୍କ ଆଖିରେ ଲୁହ ଆସିଥିବା କଥା କୁହାଯାଉଛି ତ ଆଉ କେତେବେଳେ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେଇଥିବା କଥା ଶୁଣିବାକୁ ମିଳିଛି । ତେବେ ଏହି କଥାରେ କେତେ ସତ୍ୟତା ରହିଛି ଆସନ୍ତୁ ଜାଣିବା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗାୟକ ହିମେଶ୍ ରେସମିୟା ରାନୁଙ୍କୁ ନିଜ ସିନେମାରେ ଗୀତ ଗାଇବା ପାଇଁ ଅଫର୍ ଦେଲାବେଳେ ସଲମାନଙ୍କ ପିତା ସଲିମ୍ ଖାନ୍ ଙ୍କ କଥା ରଖି କହିଥିଲେ , ଯେତେବେଳେ ବି ତୁମକୁ କେହି ପ୍ରତିଭା ଦେଖାଯିବ ତୁମେ ଏହି ପ୍ରତିଭାକୁ ସଫଳତାର ଶୀର୍ଷରେ ପହଁଚାଇବାକୁ ଚେଷ୍ଟା କରିବ । ଏହି କଥାରୁ ହିଁ ସଲମାନଙ୍କ ସଙ୍ଗେ ରାନୁଙ୍କ ସମ୍ବନ୍ଧ ପରୋକ୍ଷରେ ଜଡିତ ଥିବା କଥା ଗଣମାଧ୍ୟମରେ ପ୍ରସାରିତ ହୋଇଗଲା । କିଛି ଗଣମାଧ୍ୟମ ମୁତାବକ , ସଲମାନ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେବା ସହ ତାଙ୍କୁ ଆଗାମୀ ସିନେମା ‘ଦବଙ୍ଗ ୩’ ରେ ଗୀତ ଗାଇବା ପାଇଁ ମଧ୍ୟ ମଉକା ଦେଇଛନ୍ତି । ଏହି ଖବର ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରୁ ଆରମ୍ଭ କରି ଗଣମାଧ୍ୟମ ଚାରିଆଡେ ଏହା ଝଡ ଭଳି ପ୍ରସାରିତ ହେଲା । ତେବେ ବର୍ତ୍ତମାନ ଏହି ଖବରକୁ ସମ୍ପୁର୍ଣ୍ଣ ଭାବେ ଗୁଜବ ବୋଲି କୁହାଯାଉଛି ।
ବଲିଉଡ୍ ଭାଇଜାନ୍ ଙ୍କ ବଦାନ୍ୟତା ବିଷୟରେ ତ ସମସ୍ତେ ଜାଣିଛନ୍ତି । ସଲମାନ୍ ସାହାଯ୍ୟ /ସହାୟତା ପାଇଁ ଖୁବ୍ ଚର୍ଚ୍ଚିତ । କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆରେ ଛପିଥିବା ଏକ ଖବର ମୁତାବକ , ସଲମାନ୍ ରାନୁଙ୍କୁ ଏଭଳି କୌଣସି ଅଫର୍ ଦେଇନାହାନ୍ତି । ଗଣମାଧ୍ୟମ ପକ୍ଷରୁ ସଲମାନଙ୍କ ଏକ ପାଖଲୋକଙ୍କ ସହ କଥାବାର୍ତ୍ତା କରାଯାଇଥିଲା । ଯାହାପରେ ଏହି ଖବରରେ କୌଣସି ସତ୍ୟତା ନଥିବା କଥା ସେ କହିଥିଲେ । ସଲମାନଙ୍କୁ ନେଇ ଆଗରୁ ମଧ୍ୟ ଗୁଜବ ପ୍ରସାରିତ ହୋଇଛି ଯେ ସେ ଛାତ୍ର ନେତା କହ୍ନେୟା କୁମାରଙ୍କ ଜୀବନୀ “ତାଣ୍ଡବ” ରେ ଅଭିନୟ କରିବେ । କିନ୍ତୁ ଏହି ଖବରରେ ତିଳେମାତ୍ର ସତ୍ୟତା ନାହିଁ । ଯେଉଁ ଭିଡିଓରେ ସଲମାନ କାନ୍ଦୁଥିବା ନଜର ଆସୁଛନ୍ତି ସେହି ଖବରରେ ମଧ୍ୟ ସତ୍ୟତା ନଥିବା କଥା କୁହାଯାଉଛି ।