କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ନାତୁଣୀର ଅସ୍ୱଭାବିକ ମୃତ୍ୟୁ, ଫ୍ଲାଟରୁ ଜବତ ହେଲା ଝୁଲନ୍ତା ମୃତଦେହ

296

କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କ ନାତୁଣୀର ମୃତଦେହ ଝୁଲନ୍ତା ଅବସ୍ଥାରେ ବେଙ୍ଗାଲୋରର ଏକ ଫ୍ଲାଟରୁ ଉଦ୍ଧାର କରାଯାଇଛି । ବେଙ୍ଗାଲୋର ସ୍ଥିତ ନିଜ ଆପର୍ଟମେଣ୍ଟରେ ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବାର ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ସୌନ୍ଦର୍ଯ୍ୟାଙ୍କୁ ମୃତ ଘୋଷଣା କରିଥିଲେ ।

ୟେଦୁରପ୍ପାଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ସୌନ୍ଦର୍ଯ୍ୟାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ପେଶାରେ ସେ ଜଣେ ଡାକ୍ତର । କିଛିବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ୪ମାସର ଏକ ଶିଶୁ ରହିଛି । ହେଲେ କିଛିଦିନ ହେବ ସେ ମାନସିକ ଅବସାଦରେ ଥିବା କଥା କୁହାଯାଉଛି ।

କହିରଖୁ କି ସୌନ୍ଦର୍ଯ୍ୟା ହେଉଛନ୍ତି ୟେଦୁରପ୍ପାଙ୍କ ବଡଝିଅ ପଦ୍ମାବତୀଙ୍କ ଝିଅ । ଅନୁମାନ କରାଯାଉଛି କି ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଥାଇ ପାରନ୍ତି । ସେ ୨୦୧୯ ମସିହାରେ ଡାକ୍ତର ନୀରଜଙ୍କୁ ବିବାହ କରିଥିଲେ । ଘଟଣା ସଂପର୍କରେ ପୋଲିସ ଏକ ମାମଲା ଦାଖଲ କରି ଯାଂଚ ଚଳାଇଛି ।

ଏହି ଘଟଣା ସକାଳ ୧୦ ଟା ବେଳେ ଘଟିଥିବା କୁହାଯାଉଛି । ଯେତେବେଳେ ଘରର ଚାକର ସୌନ୍ଦର୍ଯ୍ୟାଙ୍କ ବେଡରୁମର କବାଟ ବାଡେଇଥିଲା ସେତେବେଳେ ଭିତରୁ କୌଣସି ଜବାବ୍ ମଳିନଥିଲା । ଏନେଇ ଚାକର ଜଣଙ୍କ ସୌନ୍ଦର୍ଯ୍ୟାଙ୍କ ସ୍ୱାମୀ ଡାକ୍ତର ନୀରଜଙ୍କୁ ଫୋନ କରିଥିଲେ । ଏହାପରେ ଯେତେବେଳେ ନୀରଜ କବାଟ ଖୋଲିଥିଲେ, ଦେଖିବାକୁ ମିଳିଥିଲା କି ସୌନ୍ଦର୍ଯ୍ୟାଙ୍କ ବେଡରୁମ ପଙ୍ଖାରେ ତାଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ରହିଛି ।