‘ୱାଇନ୍ ମାନେ ମଦ ନୁହେଁ ମଦିରା’ । ‘ଲିକ୍ୟୋର ପିଲିସି’ ଉପରେ ସଂଜୟ ରାଉତଙ୍କ ଅଜବ ଯୁକ୍ତି

140

କନକ ବ୍ୟୁରୋ: ମହାରାଷ୍ଟ୍ର ସୁପର ମାର୍କେଟ ଓ ୱାକ୍ ଇନ୍ ଷ୍ଟୋର ଗୁଡିକରେ ମଦ ବିକ୍ରି ପାଇଁ ଅନୁମତି ଦେଇଛି ଏଠିକାର ମହାବିକାଶ ଅଘାଡି ସରକାର । ହେଲେ ଏହି ନିଷ୍ପତ୍ତିକୁ ବିରୋଧ କରୁଛି ମହାରାଷ୍ଟ୍ର ବିଜେପି । ଅନ୍ୟପଟେ ନିଜ ସରକାରର ଜିଦି ରଖିବାକୁ ଶିବସେନାର ମୁଖପାତ୍ର ସଂଜୟ ରାଉତ ବାଢିଛନ୍ତି ଏକ ଅଜବ ଯୁକ୍ତି । କହିଛନ୍ତି ‘ୱାଇନ୍ ମାନେ ମଦ ନୁହେଁ ମଦିରା । ମଦିରା ବିକ୍ରି ଖରାପ ନୁହେଁ’ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ମଦିରା ବିକ୍ରି ବଢିଲେ ରାଜ୍ୟ ଚାଷୀଙ୍କର ଲାଭ ହେବ । ହେଲେ ଏହାକୁ ଘୋର ବିରୋଧ କରିଛି ବିଜେପି । ଏବେକାର ମିଳିତ ସରକାର ମହାରାଷ୍ଟ୍ରକୁ ଏକ ମଦୁଆ ରାଜ୍ୟ କରିଦେବାକୁ ଚାହୁଁଛନ୍ତି ବୋଲି କହିଛି ବିଜେପି ।

ବର୍ତ୍ତମାନ ରାଜ୍ୟରେ ଫଳର ଭଲ ଉତ୍ପାଦନ ହେଉଛି । ଏଠିକାର ସରକାରଙ୍କ କହିବା କଥା , ୱାଇନ୍ ବିକ୍ରି ଆରମ୍ଭ ହେଲେ ବା ବଢିଲେ ଫଳ ରସ ପ୍ରସ୍ତୁତ କରୁଥିବା କମ୍ପାନୀ ଓ ମଦ ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ଚାଷୀଙ୍କ ଠାରୁ ଫଳ କିଣିବେ ।ଫଳରେ ଚାଷୀ ଲାଭବାନ ହେବେ । ହେଲେ ଏହାକୁ ବିରୋଧ କରିଛି ବିଜେପି । କହିଛି ଚାଷୀଙ୍କୁ ଲାଭବାନ କରିବା ଆଳରେ ରାଜ୍ୟକୁ ବିପଥଗାମୀ କରିବାକୁ ଚକ୍ରାନ୍ତ ହେଉଛି । କରୋନା ସମୟରେ ଏଠିକାର ମିଳିତ ସରକାର ଲୋକଙ୍କୁ କିଛି ସାହାଯ୍ୟ କରିନଥିଲା । ଏବେ ଚାଷୀଙ୍କ ଉପରେ ଏତେ ଦୟା ପୁଣି ଏପରି ଢଙ୍ଗରେ ଦୟା କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ।