ଏୟାର ଇଣ୍ଡିଆର ପାଇଲଟ ଥିଲେ ଦେଶର ଏହି ପୂର୍ବ ପ୍ରଧାନମନ୍ତ୍ରୀ । ତାଙ୍କ ଦରମା ଥିଲା…

290

କନକ ବ୍ୟୁରୋ: ଏବେ ଏୟାର ଇଣ୍ଡିିଆକୁ ନେଇ ଖବର ଜୋର ଧରୁଛି । ତେବେ ଏୟାର ଇଣ୍ଡିଆର ଏପରି ବି ଏକ ଅଧ୍ୟାୟ ଥିଲା ଯେତେବେଳେ ଏହାର କକପିଟକୁ ସମ୍ଭାଳୁଥିଲେ ଦେଶର ଜଣେ ପୂର୍ବ ପ୍ରଧାନମନ୍ତ୍ରୀ । ପାଇଲଟ୍ ହେବା ତାଙ୍କର ସ୍ୱପ୍ନ ଥିଲା । ଆକାଶରେ ବିମାନ ଉଡାଇବା ବେଳେ ନିଜକୁ ଏକ ମୁକ୍ତ ବିହଙ୍ଗ ବୋଲି ଭାବୁଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ଟାଣି ଆଣିଲା ରାଜନୀତି ବଳୟ ଭିତରକୁ । ରାଜନୀତି କୁ ଆସିବା ପୂର୍ବରୁ ଯେତେବେଳେ ତାଙ୍କୁ ପାଇଲଟ ଚାକିରି ଛାଡିବାକୁ କୁହାଗଲା।

ଏହି ପ୍ରଧାନମନ୍ତ୍ରୀ ଜଣକ ହେଉଛନ୍ତି ନେହେରୁ- ଗାନ୍ଧୀ ପରିବାରର ଶେଷ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ । ଯିଏ ରାଜନୀତିକୁ ଆସିବା ପୂର୍ବରୁ ଏୟାର ଇଣ୍ଡିଆରେ ପାଇଲଟ ଭାବେ କାମ କରୁଥିଲେ । ଡେରାଡୁନରୁ ସ୍କୁଲ ପଢା ଶେଷ ପରେ ରାଜୀବ ଗାନ୍ଧୀ ବିଦେଶ ଗଲେ । ସେଠାରେ କେମ୍ବ୍ରିଜର ଟ୍ରିନିଟି କଲେଜରେ ଇଂଜିନିଅରିଙ୍ଗ ପଢିବାକୁ ନାମ ଲେଖାଇଲେ । ହେଲେ ଏଥିରେ ତାଙ୍କର ମନ ଲାଗିଲା ନାହିଁ । ପୁଣି ଦିଲ୍ଲୀ ଫେରି ଆସିଲେ । ଏଠାରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରୁ ପାଇଲଟ୍ ଟ୍ରେନିଙ୍ଗ ନେଲେ । ଏହାପରେ ସେ ଏୟାର ଇଣ୍ଡିଆରେ ପାଇଲଟ୍ ଭାବେ ଯୋଗ ଦେଲେ ।

୧୯୭୦ରେ ଏୟାର ଇଣ୍ଡିଆ କମ୍ପାନୀରେ ରାଜୀବ ଗାନ୍ଧୀଙ୍କୁ ଡୋମେଷ୍ଟିକ୍ ରୁଟରେ ପାଇଲଟ୍ ଭାବେ ନିଯୁକ୍ତି ମିଳିଲା । ସେ ଅଧିକାଂଶତଃ ଦିଲ୍ଲୀ- ଜୟପୁର ରୁଟରେ ବିମାନ ଉଡାଣ କରୁଥିଲେ । ସେତେବେଳେ ତାଙ୍କର ଦରମା ଥିଲା ୫୦୦୦ ଟଙ୍କା । ସେତେବେଳେ ତାଙ୍କ ମା’ ଇନ୍ଦିରା ଗାନ୍ଧୀ ଥିଲେ ଦେଶର ପ୍ରଧାନମନ୍ତ୍ରୀ । ମା’ ପ୍ରଧାନମନ୍ତ୍ରୀ ହୋଇଥିଲେ ବି ପାଇଲଟ ଭାବେ ଚାକିରି କରିବାକୁ ପସନ୍ଦ କରୁଥିଲେ ରାଜୀବ । କାରଣ ଏହା ତାଙ୍କର ନିଶା ଥିଲା । ରାଜନୀତିରେ ରାଜୀବଙ୍କର ଆଦୌ ରୁଚି ନଥିଲେ ବି ଭାଇ ସଂଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କୁ ରାଜନୀତିକୁ ଆସିବାକୁ ପଡିଲା । ଆଉ ପଛରେ ରହିଗଲା ଆକାଶରେ ଉଡିବାର ଇଚ୍ଛା ।