ବନ୍ୟାରେ ବେହାଲ ଉତ୍ତର ପ୍ରଦେଶ । ମିର୍ଜାପୁର, ପ୍ରୟାଗରାଜ, ବାରାଣାସୀରେ ହନ୍ତସନ୍ତ ଲୋକେ । ସେପଟେ ବିହାରରେ ସହରାଞ୍ଚଳରେ ପଶିଲା ବନ୍ୟାପାଣି ।

203

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଜାରି ରହିଛି ବନ୍ୟା ପ୍ରଳୟ । ମିର୍ଜାପୁରରରେ ଘର ଦ୍ୱାର, ରାସ୍ତା ଘାଟ ସବୁଠି ଭରି ରହିଛି ବନ୍ୟା ପାଣି । ଏମିତିକି ଚାଷ ଜମି ବି ବନ୍ୟା ପାଣିରେ ବୁଡି ରହିଛି ଆଉ ଏହି ବନ୍ୟା ପରିସ୍ଥିତି ଭିତରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କ ପାଖରେ ପ୍ରଶାସନ ପହଁଚି ନଥିବା ଅଭିଯୋଗ ହୋଇଛି । ସେପଟେ ଉତ୍ତର ପ୍ରଦେଶର ପ୍ରୟାଗରାଜ ମଧ୍ୟ ବନ୍ୟା ପାଇଁ ପ୍ରଭାବିତ ହୋଇଛି । ତେବେ ଧୀରେ ଧୀରେ ବନ୍ୟା ପାଣି ଛାଡୁଥିବା ଦେଖିବାକୁ ମିଳୁଛି । ଲୋକେ ବନ୍ୟା ପର ପରିସ୍ଥିତି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘର ଦ୍ୱାର ନଷ୍ଟ ହୋଇଯାଇଥିବାବେଳେ, ବନ୍ୟା ପାଇଁ ଅନେକ ଅପରିଷ୍କାର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନ ଏନେଇ କୌଣସି ସାହାଯ୍ୟ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ବାରାଣାସୀରେ ମଧ୍ୟ ବନ୍ୟା ପରର ବିକଳ ଚିତ୍ର ଦେଖିବାକୁ ମିଳିଛି । ସହର ଭିତରେ ଏବେ ବି ବନ୍ୟା ପାଣି ଜମି ରହିଛି । ପ୍ରଶାସନ ତରଫରୁ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଉଛି । ସେହିପରି ବିହାର, ପାଟନାରେ ମଧ୍ୟ ବନ୍ୟା କରିଛି କଲବଲ । ଗଙ୍ଗା ନଦୀରେ ବନ୍ୟା ଆସିବାରୁ ନାଳ ଦେଇ ପାଣି ସହାରାଞ୍ଚଚଳ ଭିତରେ ପଶିଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଠିକ୍ ସେହିଭଳି ଲଗାଣ ବର୍ଷା ପାଇଁ କୋଲକତା ସହରରେ ମଧ୍ୟ କୁତ୍ରିମ ବନ୍ୟା ଦେଖିବାକୁ ମିଳିଛି । ସହରରେ ବର୍ଷା ପାଣି ଜମି ରହିଛି । ଏହାରି ଭିତରେ ଯାନବାହାନ ଯା-ଆସ କରୁଛି । ଚଳିତ ମୌସୁମି ବର୍ଷାରେ ଦେଶରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗରେ ବନ୍ୟା ଦେଖିବାକୁ ମିଳିଛି ।