ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ କଶ୍ମୀରରେ ବଡ ଧରଣର ଆକ୍ରମଣ ଯୋଜନା । ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଛାଉଣୀ ।

260

କନକ ବ୍ୟୁରୋ: ସ୍ୱାଧିନତା ଦିବସ ପାଇଁ ଜମ୍ମୁ କାଶ୍ମୀରରେ ସେନାର କଡା ପହରା । କୌଣସି ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷାକର୍ମୀ ରଖିଛନ୍ତି ତୀକ୍ଷଣ ନଜର । ଏହାରି ଭିତରେ ଆତଙ୍କବାଦୀଙ୍କ ଏକ ଷଡଯନ୍ତ୍ରକୁ ପଣ୍ଡୁର କରିଛି ସେନା । ଜମ୍ମୁକଶ୍ମୀର କିସ୍ତୱାଡରେ ଜାତୀୟ ରାଜପଥରେ ଆତଙ୍କବାଦୀ ଖଞ୍ଜି ଥିବା ଏକ ଆଇଡି ବୋମାକୁ ନିଷ୍କ୍ରିୟ କରିଛି ସେନା । ଏହି ରାସ୍ତା ଦେଇ ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଗାଡି ଯାଆ-ଆସ କରେ । ତେଣୁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଯୋଜନା କରି ଆତଙ୍କୀ ଏଠାରେ ବୋମା ଖଞ୍ଜିଥିଲେ ।

ଜମ୍ମୁକଶ୍ମୀରରେ ବଡ ଆତଙ୍କୀ ହମଲା ଆଶଙ୍କାରେ ଦ୍ୱିଗୁଣ କରାଯାଇଛି ସୁରକ୍ଷା ବ୍ୟବସ୍ଥା । ବିଭିନ୍ନ ସ୍ଥାନରେ ପହଁଚି ତନ୍ନତନ୍ନ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । ଘଞ୍ଚ ଜଙ୍ଗଲ, ପାହାଡିଆ ଇଲାକାରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଜମ୍ମୁକଶ୍ମୀରକୁ ଆସୁଥିବା ଗାଡି ଓ ଯାତ୍ରୀଙ୍କ ପରିଚୟ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ସୀମାରେ କଡ଼ା ପ୍ରହରା ଦେଉଛନ୍ତି ସୁରକ୍ଷାକର୍ମୀ । ସୀମାରେ ଅନୁପ୍ରବେଶ କରି ଆତଙ୍କ ଖେଳାଇବା ପାଇଁ ଅହରହ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ ।

ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗ୍ରହଣ କରାଯାଇଛି କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ସୁରକ୍ଷା ଛାଉଣୀ କରାଯାଇଛି । ରାଜଧାନୀ ଦିଲ୍ଲୀର ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଦିଲ୍ଲୀ ପୁଲିସ ସହ ସିକ୍ୟୁରିଟି ଫୋର୍ସ ରାଜଧାନୀ ଉପରେ କଡ଼ା ନଜର ରଖିଛି । ମୁଖ୍ୟପ୍ରବେଶ ପଥରେ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ଶନିବାର ରାତିରୁ ମାଲବୁହା ଓ ବ୍ୟବସାୟିକ ଗାଡି ଚଳାଚଳ ବନ୍ଦ ରଖାଯିବ । ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଦିଲ୍ଲୀ ପୁଲିସ ଓ ଟ୍ରାଫିକ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।