ଆଜି ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରୁ ପତାକା ଉତୋଳନ କରିବେ ପ୍ରଧାନମନ୍ତ୍ରୀ, ଏପଟେ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ପରେଡରେ ତ୍ରିରଙ୍ଗା ଉଡାଇବେ ମୁଖ୍ୟମନ୍ତ୍ରୀ

214

କନକ ବ୍ୟୁରୋ : ଆଜି ୭୫ ତମ ସ୍ୱାଧାନତା ଦିବସ । ଐତିହାସିକ ଲାଲକିଲାରୁ ପତାପ ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିବେ ମୋଦି । ଏଥିସହ ଦେଶବାସୀଙ୍କ ସମ୍ବୋଧିତ କରିବେ । ୭୫ତମ ସ୍ୱାଧୀନତା ଦିବସ ପାଳନକୁ ସ୍ମରଣୀୟ କରିବା ପାଇଁ ଆଜାଦିର ଅମୃତ ମହୋତ୍ସବର ଶୁଭାରମ୍ଭ କରିବେ । ଏହା ଅଗଷ୍ଟ ୧୫ , ୨୦୨୩ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ଚାଲିବ । ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ସେହିପରି ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଅଳ୍ପ କିଛି ଅତିଥୀଙ୍କ ନେଇ ଏହି ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିବେ । କରୋନା ସମ୍ପୂର୍ଣ୍ଣ ଭାବେ ଯାଇ ନଥିବାରୁ ପାଳିତ ହେବାକୁ ଥିବା ଏହି ପରେଡ୍ ବେଳେ ସାଧାରଣ ଲୋକଙ୍କୁ ପଡିଆ ଭିତରକୁ ପଶିବାକୁ ଅନୁମତି ମିଳିବ ନାହିଁ । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଛି । ଶାନ୍ତି ଶୃଂଖଳାର ସହ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ଦାୟିତ୍ୱରେ ୮ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି । ଏହାସହ ପରେଡ ସ୍ଥଳ ଏବଂ ଏହାର ପରିସରରେ ଏକାଧିକ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି । ପୂର୍ବବର୍ଷ ଭଳି ପରେଡରେ ୪୬ଟି ଦଳ ତଥା ଟ୍ରୁପକୁ ଭାଗ ନେବାକୁ ଅନୁମତି ମିଳିଛି । ଏଥର କୌଣସି ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗ ନେଇ ପାରିବେ ନାହିଁ । କେବଳ ରାଷ୍ଟ୍ରୀୟ ସାଲୁଟ ଦିଆଯିବ ।