ନୂଆ ବର୍ଷରୁ ଟିଭି ଦେଖା ହେବ ମହଙ୍ଗା! ବଢିବ ଡିଟୁଏଚ, କେବୁଲ ବିଲ୍, ସବୁ ଚ୍ୟାନେଲ ପାଇଁ ଦେବାକୁ ପଡିବ ଅଲଗା ଦାମ୍

ଟ୍ରାଇର ନୂଆ ନିୟମକୁ ନେଇ ଚିନ୍ତାରେ ଗ୍ରାହକ

725

ଜାନୁଆରୀ ପହିଲାରୁ ଟିଭି ଦେଖା ହେବ ମହଙ୍ଗା । ଲୋକଙ୍କ ମାସିକଆ ଟିଭି ଓ ଡିଟୁଏଚ ବିଲ ବଢିଯିବ । ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ନୂଆବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇପାରେ । ଏହି ନିୟମ ପ୍ରଭାବରେ ଟିଭି ଚ୍ୟାନେଲଗୁଡିକର ଦାମ ବି ବଢିଯିବା ଆଶଙ୍କା କରାଯାଉଛି । ଫଳରେ ଆଗକୁ ଲୋକେ କେବୁଲ ଓ ଡିଟୁଏଚ ସେବା ପାଇଁ ମାସକୁ ଅତିକମରେ ୪ ଶହରୁ ଅଧିକ ଦାମ ଦେବାକୁ ପଡିପାରେ । ଜାନୁଆରୀରୁ ଏହି ନିୟମ ଲାଗୁ ହୋଇପାରେ । ଏବେ ଲୋକମାନେ କେବୁଲ ଓ ଡିଚିଏସ ସେବା ପାଇଁ ମାସ ଏକ ନିର୍ଦିଷ୍ଟ ପରିମାଣର ବିଲ ଦେଉଛନ୍ତି ।

କିନ୍ତୁ ନୂଆ ନିୟମ ଲାଗୁ ହେଲେ ପ୍ରତି ଚ୍ୟାନେଲ ପାଇଁ ଅଲଗା ଅଲଗା ଦାମ ଗଣିବାକୁ ପଡିବ । ଟିଭି ଉପଭୋକ୍ତାମାନଙ୍କୁ ପ୍ରଥମେ ଶହେଟି ଚ୍ୟାନେଲ ପାଇଁ ୧୩୦ ଟଙ୍କା ସହିତ ଟିକସ ଦେବାକୁ ପଡିବ । କିନ୍ତୁ ଲୋକପ୍ରିୟ ଚ୍ୟାନେଲଗୁଡିକୁ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଚୟନ କରିବେ । ସେହି ଅନୁସାରେ ଗ୍ରାହକଙ୍କୁ ପେମେଂଟ କରିବାକୁ ପଡିବ । କେଉଁ ଚ୍ୟାନେଲ ଦର କେତେ ଟଙ୍କା ନିର୍ଦ୍ଦାରଣ କରିଛନ୍ତି ତାହା ଟ୍ରାଇ ନିକଟରେ ଦାଖଲ କରିଛନ୍ତି । ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାଗୁଡିକ ନିଜର ସବୁ ଚ୍ୟାନେଲର ଅଲଗା ଅଲଗା ଦର ନିର୍ଦାରଣ କରିଛନ୍ତି । ଏ ସମ୍ପର୍କରେ ଟିଭି ସ୍କ୍ରିନରେ ସୂଚନା ମଧ୍ୟ ଦିଆଯାଉଛି ।

ଫଳରେ କେଉଁଚ୍ୟାନେଲର ଦାମ କେତେ ତାହା ଗ୍ରାହକମାନେ ଜାଣିପାରିବେ । ଅଧିକାଂଶ ଚ୍ୟାନେଲର ଦାମ ୫ରୁ ୧୯ ଟଙ୍କା ମଧ୍ୟରେ ରଖାଯାଇଛି । କେତେ ଚ୍ୟାନେଲର ମୂଲ୍ୟ ୫୦ କିମ୍ବା ତା ଠାରୁ ଅଧିକ ବି ରହିଛି । ଟ୍ରାଇର ଏହି ନୂଆ ନିୟମ ନୂଆ ବର୍ଷରୁ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନେକ କେବୁଲ ଅପରେଟର କହିଛନ୍ତି । ଗ୍ରାହକମାନେ ଏହି ନୂଆ ସେବା ବିଷୟରେ ଜାଣିନଥିବାବେଳେ ଦୁଇ ସପ୍ତାହ ଭିତରେ ଏହାକୁ ଲାଗି କରିବା ଏକ କଷ୍ଟକର ବ୍ୟାପର ହୋଇପାରେ ବୋଲି ଜଣାପଡିଛି ।