ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ

154

କନକ ବ୍ୟୁରୋ: ରାଜ୍ୟରେ କେନ୍ଦ୍ର ସରାକାରଙ୍କ କଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ତେଣୁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏହାବ୍ୟତିତ ପଂଚାୟତ ଓ ପୌର ନିର୍ବାଚନ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୌର ନିର୍ବାଚନ ସହ ପଂଚାୟତ ନିର୍ବାଚନ ଏକାଠି କରିବାକୁ ଆମ ଦଳର ପ୍ରସ୍ତାବ ରହିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଏହି ଦାବି ଜଣାଯାଇଛି । ଏହା ଦ୍ୱାରା ଲୋକମାନେ ହଇରାଣ ହେବେ ନାହିଁ ଏବଂ ବିକାଶ କାମରେ ବାଧକ ହେବନାହିଁ । କେନ୍ଦ୍ର ସରକାର ପଂଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ବିପୁଳ ଅର୍ଥ ଯୋଗାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଅନେକ ଯୋଜନା କରିଛନ୍ତି । ଏହି ସବୁ ଯୋଜନା ପାଇଁ ଓଡ଼ିଶାକୁ ଯେତେ ଅର୍ଥ ମିଳିଛି ତାହାକୁ କଳ୍ପନା କରାଯାଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୬ ଲକ୍ଷ ଘର ପାଇଁ ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ହିସାବରେ ୨୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୫୦ ଲକ୍ଷ ନୂଆ ଗରିବ ଲୋକଙ୍କୁ ଗ୍ୟାସ ଉପଲବ୍ଧ କରାଯାଇଛି । ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଉଜ୍ଜଳା ୨.୦ ଆରମ୍ଭ କରାଯାଇଛି ।