କାବୁଲ ଏୟାରପୋର୍ଟରୁ ଆସିଲା ଛାତିଥରା ଦୃଶ୍ୟ । ଛୋଟ ପିଲାକୁ ଏୟାରପୋର୍ଟ ଭିତରକୁ ଛାଡ଼ିଦେବାକୁ ପ୍ରୟାସ, ପିଲାର ଜୀବନ ବଞ୍ଚାଇବା ପାଇଁ ଆମେରିକା ସେନା ହାତରେ ଟେକି ଦେଲେ ବାପା-ମାଆ ।

889

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ତାଲିବାନ ଅକ୍ତିଆର କରିବାପରେ ବଦଳି ଯାଇଛି ସେଠାକାର ଚିତ୍ର । ଭୟ ଓ ଆତଙ୍କ ଭିତରେ ଦିନ କାଟୁଛନ୍ତି ଆଫଗାନ ନାଗରିକ । ଅନେକ ଲୋକ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ଏୟାରପୋର୍ଟ ବାହାରେ ଭିଡ ଜମାଇଛନ୍ତି । କାବୁଲ ଏୟାରପୋର୍ଟ ଆମେରିକା ଓ ବ୍ରିଟେନ୍ ସେନା ଅଧିନରେ ଥିବାବେଳେ, ଆଫଗାନ ନାଗରିକ ସେମାନଙ୍କୁ ନିବେଦନ କରୁଛନ୍ତି ତାଙ୍କୁ ଦେଶଛାଡି ଚାଲିଯିବାରେ ସହାୟତା କରିବାକୁ । ଅବସ୍ଥା ଏପରି ବି ହୋଇଛି କିଛି ଲୋକ ନିଜ କୁନି କୁନି ପିଲାଙ୍କୁ ୟୁଏସ ଓ ୟୁକେ ସୋଲଜରଙ୍କ ହାତକୁ ଟେକି ଦେଉଛନ୍ତି । ଏହି ଆଶାରେ ସେମାନଙ୍କ ଜୀବନ କାଳେ ବଞ୍ଚିଯିବ ।

କାବୁଲ ଏୟାରପୋର୍ଟର ଛାତିଥରା ଦୃଶ୍ୟ । ଛୋଟ ପିଲାକୁ ଟେକିଦେଲେ ବିଦେଶୀ ସୈନ ହାତରେ । କାବୁଲ ଏୟାରପୋର୍ଟ ବାହାରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ଦୃଶ୍ୟ । ନିଜ ଜୀବନର ଭରସା ନଥିବା ବେଳେ ପିଲାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବାପା ମାଆ । କେତେବେଳେ କ’ଣ ହେବ, କିଏ ତାଲିବାନୀଙ୍କ ହାବୁଡରେ ପଡିଯିବେ କିଛି ଜଣାନାହିଁ । ନିଜ ଜୀବନ ପଛେ ଚାଲିଯାଉ, ହେଲେ ପିଲାର ଜୀବନ ସୁରକ୍ଷିତ ରହୁ । ଏହି ଆଶାରେ ପିଲାଙ୍କୁ ଦୂରେଇବାକୁ ବାଧ୍ୟ ହେଉଛନ୍ତି ବାପା ମାଆ । କଅଁଳ ଶିଶୁକୁ ଅନ୍ୟ ହାତକୁ ଟେକି ଦେଉଛନ୍ତି । ଜାଣିନାହାନ୍ତି, ତାଙ୍କ ପିଲା କେଉଁଠି ରହିବ, କାହା ପାଖରେ ରହିବ, ହେଲେ ଆଶା ତାଙ୍କ ପିଲା କାବୁଲ ଆକାଶରୁ ଉଡିଗଲା ପରେ ସୁରକ୍ଷିତ ରହିବ । କାବୁଲ ଏୟାରପୋର୍ଟରୁ ଆସିଥିବା ଏହି ଘଟଣା ଏପରି କିଛି ବୟାନ କରୁଛି ।

ବିମାନ ବନ୍ଦରର ପାଚେରୀ ଆରପଟେ ଉଡାଣ ଅପେକ୍ଷାରେ ରହିଛି ବିମାନ । ଆଉ ଏପଟେ ପିଲା ଛୁଆଁଙ୍କୁ ଧରି ଭିଡ ଜମାଇଛନ୍ତି ହଜାର ହଜାର ସଂଖ୍ୟାରେ ଲୋକ । ଏହାରି ଭିତରେ ନିଜର ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଯଦି କେହି ବିମାନ ବନ୍ଦରରୁ ଶିଶୁଟିକୁ ନେଇଯିବ । ଆଉ ପିଲାଟି ବିମାନରେ ଅନ୍ୟ କେଉଁ ଦେଶକୁ ଚାଲିଯିବ । ହୁଏତ ତା ଜୀବନ ବଞ୍ଚିଯିବ ।

ତାଲିବାନର କାବୁଲ କବଜା ପରେ ଆଫଗାନିସ୍ତାନ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଲୋକେ । ଏହାରି ଭିତରେ ଆମେରିକା ଓ ବ୍ରିଟେନ୍ ତାର ସେନାକୁ ଫେରାଇ ନେଉଛି । ସେନାକୁ ନେବା ପାଇଁ ବିମାନ ବନ୍ଦରରେ ପହଞ୍ଚୁଛି ଗୋଟିଏ ପରେ ଗୋଟିଏ ବିମାନ । ଜୀବନ ବଞ୍ଚାଇ ସେହି ବିମାନରେ ଦେଶ ଛାଡି ପଳାଇ ଯିବାକୁ ଚେଷ୍ଟା କରୁଛନ୍ତି ଆଫଗାନବାସୀ ।